୨୨ ରେ ସ୍କୁଲ୍ ଫି’ ମାମଲାର ଶୁଣାଣି

କଟକ,ଏନ୍ଏନ୍ଏସ୍: ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ବେସରକାରୀ ପରିଚାଳିତ ସ୍କୁଲ୍ କଲେଜ୍ ବନ୍ଦ ଥିବାରୁ ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ୨୨ ତାରିଖକୁ ଘୁଞ୍ଚିଛି। ଆଜି ଅଦାଲତରେ ସରକାର ସତ୍ୟପାଠ ଦାଖଲ କରି ନପାରିବାରୁ ହାଇକୋର୍ଟ ଆସନ୍ତା ୨୨ ତାରିଖକୁ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଅଦାଲତ ସମସ୍ତ ପକ୍ଷଙ୍କୁ ଆପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନାର ନିର୍ଯ୍ୟାସ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବାକୁ ଅଦାଲତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଫି’ ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ କହିଥିଲେ।

ସୂଚନାଥାଉକି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏହାର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଅନ୍ୟମାନଙ୍କ ପକ୍ଷରୁ ବିଦ୍ୟାଳୟ ଫି’ ଦାଖଲ ବିରୋଧରେ ଆବେଦନ କରିଥିଲେ। ଘରୋଇ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଲକଡାଉନ୍ ସମୟରେ ମଧ୍ୟ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲର ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ଆବଶ୍ୟକ। ଅନୁରୂପ ଭାବେ ଘରୋଇ ସ୍କୁଲ୍ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ ଛାତ୍ରଛାତ୍ରୀମାନେ ଏହି ଅବଧି ମଧ୍ୟରେ ଗମନାଗମନ ଫି’ ସହିତ ବିଦ୍ୟାଳୟର ଅନ୍ୟ ସମସ୍ତ ଫି’ ଦାଖଲ କରିବା ଆବଶ୍ୟକ। ଲକଡାଉନ୍ ପରିପ୍ରେକ୍ଷୀରେ ଫି’ ପ୍ରତ୍ୟାହାର କରାଯାଉ ବୋଲି ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଥିଲା।