କୋଭିଡ୍‌ କଟକଣା ମଧ୍ୟରେ ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୯ ମାସ ପରେ କୋଭିଡ କଟକଣା ମଧ୍ୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍କୁଲ ଓ କଲେଜ। ଏନେଇ ସ୍କୁଲ ଓ କଲେଜଗୁଡିକୁ ସାନିଟାଇଜ କରାଯାଇଛି। ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସୁଛନ୍ତି। ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ୍ ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ଓ କଲେଜକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ହ୍ୟାଣ୍ଡ ୱାସର ମଧ୍ୟ ବ୍ୟବସ୍ଥା ହୋଇଛି। ଏଥିସହିତ ଛାତ୍ରଛାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଛି।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ୨୮ ପର୍ଯ୍ୟନ୍ତ କ୍ଲାସ ହେବ।

ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସିଲାବସ ସାରିବା ପାଇଁ ଶନିବାର ଓ ରବିବାର ମଧ୍ୟ କ୍ଲାସ ହେବ। ଆବଶ୍ୟକସ୍ଥଳେ ଅନ୍ୟ ଛୁଟି ଦିନରେ ମଧ୍ୟ କ୍ଲାସ ହେବ। ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏନେଇ ଏକ ଏସଓପି ଜାରି ହୋଇଛି।