ମହଙ୍ଗା ପଡ଼ିଲା ଖରାପ ରେଜଲ୍ଟ :୧୧୦୬ ସ୍କୁଲକୁ ରିପୋର୍ଟ ତଲବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆକ୍ସନ ମୁଡରେ ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟରେ ଯେଉଁ ସବୁ ସ୍କୁଲରେ ଛାତ୍ରଛାତ୍ରୀମାନେ ନୈରାଶ୍ୟଜନକ ମାର୍କ ରଖିଛନ୍ତି ସମ୍ପୃକ୍ତ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନପ୍ଲାନ। ତେବେ ରାଜ୍ୟରେ ସମ୍ପୂର୍ଣ୍ଣ ଶୂନ ରେଜଲ୍ଟ ହୋଇଥିବା ସ୍କୁଲ ସମେତ ଯେଉଁ ସ୍କୁଲରେ ୪୦ପ୍ରତିଶତ ଛାତ୍ରଛାତ୍ରୀ ୩୦ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି ସେହି ସବୁ ସ୍କୁଲକୁ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ରାଜ୍ୟର ୩୧୪ ବ୍ଲକରେ ପ୍ରାୟ ୧୧୦୬ ସ୍କୁଲ ଥିବା ଜଣାପଡ଼ିଛି। ପ୍ରାୟ ୭୧୦ରୁ ଅଧିକ ସ୍କୁଲରେ ସର୍ବାଧିକ ପରୀକ୍ଷାର୍ଥୀ ସିଙ୍ଗିଲ ସବଜେକ୍ଟ୍ରେ ଫେଲ ହୋଇଛନ୍ତି। ଏହି ସବୁ ସ୍କୁଲଗୁଡ଼ିକରେ ପରୀକ୍ଷାର୍ଥୀମାନେ କ’ଣ ପାଇଁ କମ୍ ମାର୍କ ରଖିଲେ କିମ୍ବା ରେଜଲ୍ଟ ଶୂନ ହେଲା ସେନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ରିପୋର୍ଟ ତଲବ କରାଯାଇଛି। ସେହି ରିପୋର୍ଟରେ ୫୫ଟି ପ୍ରଶ୍ନ ରହିଛି। ସେଥିରୁ ଛାତ୍ରଛାତ୍ରୀଙ୍କ ବାବଦରେ ୧୭ଟି ପ୍ରଶ୍ନ ଥିବା ବେଳେ ଅବଶିଷ୍ଟ ଶିକ୍ଷାଦାନ ବ୍ୟବସ୍ଥା ଓ ସ୍କୁଲର ଭିତ୍ତିଭୂମି ସମ୍ପର୍କରେ ରହିଛି। ଏହାବ୍ୟତୀତ ଯେଉଁ ସବୁ ବିଷୟରେ ପରୀକ୍ଷାର୍ଥୀମାନେ ଫେଲ ହୋଇଛନ୍ତି ସମ୍ପୃକ୍ତ ଶିକ୍ଷକଙ୍କ ସବିଶେଷ ବିବରଣୀ ପ୍ରଧାନଶିକ୍ଷକ ମଧ୍ୟ ପ୍ରଦାନ କରିବେ।  ଗୋଟିଏ ଏବଂ ୨ଟି ଲେଖାଏଁ ବିଷୟରେ ଯେଉଁ ସବୁ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ସେଥିରୁ କେଉଁ ବିଷୟରେ ସର୍ବାଧିକ ପିଲା ରହିଛନ୍ତି ତା’ର ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯିବ। ତେବେ ଆସନ୍ତା ୧୫ଦିନ ମଧ୍ୟରେ ପ୍ରଧାନ ଶିକ୍ଷକ ଏବଂ ବିଷୟଭିତ୍ତିକ ଶିକ୍ଷକଙ୍କ ରିପୋର୍ଟ ଯେପରି ସରକାରଙ୍କ ପାଖରେ ପହଞ୍ôଚବ ସେ ନେଇ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।