ରାଜ୍ୟରେ ଡିଗ୍ରୀ କଲେଜରେ ନିଯୁକ୍ତି ଲାଗି ବୟସ ସୀମା ୪୮ବର୍ଷକୁ ବୃଦ୍ଧି ହେବ !

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଥିବା ଡିଗ୍ରୀ କଲେଜଗୁଡିକରେ ଅଧ୍ୟାପକ ନିଯୁକ୍ତି ସମୟରେ ଆବେଦନକାରୀଙ୍କ ବୟସ ସୀମାକୁ ବୃଦ୍ଧି କରାଯାଇଛି। ତେବେ ପୂର୍ବରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ନିଯୁକ୍ତି ଲାଗି ଆବେଦନ ସମୟରେ ବୟସ ୩୩ ବର୍ଷ ଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ଏହାକୁ ୪୮ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରକାଶଥାଉ କି, ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ କଲେଜଗୁଡିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ପ୍ର୍ରକ୍ରିୟା ଆରମ୍ଭ ହୋଇଛି। ମୋଟ୍ ୬୦୬ଟି ପଦବୀରେ ନିଯୁକ୍ତି କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ଅବେଦନ ସମୟରେ ଆବେଦନକାରୀଙ୍କ ବୟସସୀମା ବୃଦ୍ଧି ଲାଗି ସରକାର ଯୋଜନା କରୁଥିବା ବେଳେ ଏ ସମ୍ପର୍କରେ କୌଣସି ବିଜ୍ଞାପନ ପ୍ରକାଶ ନକରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସସିକୁ ଚିଠି ପ୍ରଦାନ କରାଯାଇଛି।

ପ୍ରଦାନ କରାଯାଇଥିବା ଚିଠି ନମ୍ବର ୨୨୩୨୧/୧୯ରେ ଦର୍ଶାଯାଇଛି ଯେ, ରାଜ୍ୟରେ ଡିଗ୍ରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧୀୟ କୌଣସି ବିଜ୍ଞାପନ ପ୍ରକାଶ କରାଯିବ ନାହିଁ। ଆବେଦନ ସମୟରେ ୩୩ବର୍ଷ ବର୍ଷ ଥିବାବେଳେ ଏହାକୁ ୪୮ବର୍ଷକୁ ବୃଦ୍ଧି କରାଯିବା ଲାଗି ଓଇଏସ୍(ସିବି) ନିଯୁକ୍ତି ନିୟମ ୧୯୯୦ ଅଧିନିୟମରେ ସଂସ୍କାର ଆଣିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବଶୀଘ୍ର ଏ ସମ୍ପର୍କରେ ଅନୁଧ୍ୟାନ ତଥ୍ୟ ପ୍ରକାଶ ପାଇବ। ତେବେ ଅଧ୍ୟାପକ ନିଯୁକ୍ତି ଲାଗି ଆବେଦନକାରୀଙ୍କ ବୟସସୀମା ୪୮ବର୍ଷକୁ ବୃଦ୍ଧି କରାଗଲେ ରାଜ୍ୟରେ ଯେଉଁ ପିଲାଙ୍କର ବୟସ ଅଧିକ ହୋଇଯାଇଛି ସେମାନେ ଏହି ବ୍ୟବସ୍ଥାରେ ସୁବିଧା ପାଇପାରିବେ।