ଧରାପଡିଲା ବିରଳ ପ୍ରଜାତିର ମାଛ, ଯାହାର କିଲୋ ପ୍ରତି ମୂଲ୍ୟ ୧୦ ହଜାର

ଏପରି ଏକ ମାଛ ହୁଏତ ଆପଣ ଦେଖିନଥିବେ, ଯାହା ସମୁଦ୍ରରେ ଧରିଛନ୍ତି ମତ୍ସଜୀବୀମାନେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସ୍ୟଜୀବୀମାନେ ଶୁକ୍ରବାର ସମୁଦ୍ରରୁ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ମାଛଟି ଦେଖିବାକୁ ଲମ୍ବାଳିଆ ଓ ମୁହଁ ଥଣ୍ଟ ଆକୃତିର ହୋଇଛି । ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି। ପ୍ରକାଶ ଥାଉକି, ଶୁକ୍ରବାର ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ଏପରି ମାଛ ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ କହିଛନ୍ତି।

ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ ୨୦ କେଜି ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ ହୋଇଛି। ଦୀଘାରେ ଏହି ମାଛ ବିକ୍ରି କରାଯିବା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି। ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଏହି ମାଛ ଦେଖିବାକୁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଜମିଥିଲା।