ଆରଟିପିସିଆରରେ କରୋନା ଟେଷ୍ଟ ହେଲେ କ୍ୱାରେଂଟାଇନ୍ ବୋଝ ହ୍ରାସ ପାଇବ

ଭୁବନେଶ୍ୱର : ରାଜ୍ୟରେ ରାପିଡ୍ ଟେଷ୍ଟିଂ କିଟ୍ ବା (ଆରଟିପିସିଆର) ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରାଗଲେ ଏହାର ସୁଦୂର ପ୍ରସାରୀ ହୋଇପାରିବ ଏବଂ ଏହା ଦ୍ୱାରା ଉଭୟ ରାଜ୍ୟବାସୀ ଓ ସରକାର ମଧ୍ୟ ବହୁ ଭାବେ ଉପକୃତ ହୋଇପାରିବେ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ, ଏବେ ହଜାର ହଜାର ସଂଖ୍ୟାରେ କରୋନା ସନ୍ଦିଗ୍ଧମାନେ କ୍ୱାରେଂଟିନରେ ରହି ନାନା ପ୍ରକାରର ଦୁଃଶ୍ଚିନ୍ତା ଓ ଅଶାନ୍ତି ମଧ୍ୟରେ ଦୀର୍ଘ ୧୪ ଦିନର ନିର୍ବାସନ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ସଙ୍ଗରୋଧରେ ଥିବା କିଛି ବ୍ୟକ୍ତି ମାନସିକ ଦୁଶ୍ଚିନ୍ତାରେ ରହି ଦେଶର ଅନ୍ୟତ୍ର ଆତ୍ମହତ୍ୟା କରିଥିବାର ନଜିର ମଧ୍ୟ ରହିଛି । ଏବେ ରାପିଡ୍ ଟେଷ୍ଟିଂ କିଟ୍ (ଆରଟିପିସିଆର) ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରିବା ଆରମ୍ଭ କଲେ ଏଥିରୁ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ କରୋନା ଆକ୍ରାନ୍ତ କି ନାହିଁ ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଯିବ ।

ସରକାରଙ୍କୁ ମଧ୍ୟ କା୍ୱରେଂଟାଇନ୍ ବା ସଙ୍ଗରୋଧ ଶିବିର ଚଳାଇବାକୁ ପଡ଼ିବ ନାହିଁ । ବର୍ତମାନ ରାଜ୍ୟର ୨୦୬୨ଟି ଶିବିରରେ ୭୦, ୦୦୦ରୁ ଅଧିକ ଲୋକ ରହିଛନ୍ତି । ଏହି ପରୀକ୍ଷା କାର୍ଯ୍ୟକାରୀ କରାଗଲେ ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଯାଇ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇ ପାରିବ । ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ରାଜ୍ୟରେ କରୋନା ନମୁନା ପରୀକ୍ଷା ଆରମ୍ଭ କରା ଯାଇଥିବା ବେଳେ ଆଜି ସୁଦ୍ଧା ୩୨୪୯ଟି ନମୁନାକୁ ପରୀକ୍ଷା କରାଯାଇଛି । ଏଥି ମଧ୍ୟରୁ ମାତ୍ର ୪୮ଟି ନମୁନା ପଜିଟିଭ୍ ଆସିଥିବା ବେଳେ ବାକି ସବୁ ନମୁନା ନେଗେଟିଭ୍ ଆସିଛି ।

ସେହିଭଳି କରୋନା ନମୁନା ପରୀକ୍ଷା ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହୋଇଥିବା ବେଳେ ଏବେ ରାପିଡ୍ ଟେଷ୍ଟିଂ କିଟ୍ ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରାଗଲେ କେବଳ ପଜିଟିଭ୍ ରିପୋର୍ଟ ଆସୁଥିବା ବ୍ୟକ୍ତିଙ୍କ ନମୁନା ଅଧିକ ପରୀକ୍ଷା ପାଇଁ ପଠାଯିବ ଏବଂ ନେଗେଟିଭ ରିପୋର୍ଟ ଆସୁଥିବା ବ୍ୟକ୍ତି ବା ସନ୍ଦିଗ୍ଧମାନଙ୍କୁ ସେମାନଙ୍କ ପରିବାରକୁ ଫେରି ଯିବାକୁ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ମହାନ୍ତି।