ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଟ୍ରପ ଲାଇନ୍ ଏବେ ସକ୍ରିୟ ଅଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ତା’ ଛଡ଼ା ଉପକୂଳ ଓଡ଼ିଶାର ବାୟୁମଣ୍ଡଳ ଉପରେ ସମୁଦ୍ର ପତ୍ତନଠାରୁ ୨.୧ କିମି ଯାଏ ଏକ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇଛି। ଯାହାକି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପକୁ ଅଧିକ ବଳଶାଳୀ କରୁଛି। ସମ୍ଭାବ୍ୟ ଲଘୁଚାପ ସକ୍ରିୟ ହେଉଥିବାବେଳେ ଆସନ୍ତାକାଲି ଅର୍ଥାତ ୧୧ ତାରିଖ ଦିନ ଏହା ଉପରୋକ୍ତ ସାଇକ୍ଲୋନିକ୍ ସର୍କୁଲେସନ ସହ ମିଶି ଅଧିକ କ୍ରିୟାଶୀଳ ହେବ। ଫଳରେ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ସୃଷ୍ଟି ହେବାକୁ ଥିବା ଲଘୁଚାପର ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ରହିଛି। ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି। ଲଘୁଚାପର ନିୟାମକକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଳାକୁ ସତର୍କତା ଜାରି ହୋଇଥିବାବେଳେ ବିଶେଷ ଭାବେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକଶ ପାଇଛି।
ସୂଚନା ମୁତାବକ, ଏହି ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ପଡ଼ିବା ସମ୍ଭାବନା ରହିଛି। ରବିବାର ବିଶେଷକରି ଦକ୍ଷିଣ ଉପକୂଳର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ୫ଟି ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ରାୟଗଡ଼ା। ଏଥିସହ ରାଜ୍ୟର ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଭଦ୍ରକ, ଗଜପତି ଓ ଯାଜପୁରରେ ସବୁଠୁ କମ୍ ପ୍ରତିଶତ ବର୍ଷା ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।