ଆଗାମୀ ୨-୩ ଦିନ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ଆଗାମୀ ତିନ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବାର ସମ୍ଭାବନା ରିହିଛି। ଏହା ସହିତ ଗଞ୍ଜାମ, କନ୍ଧମାଳ, ନୂଆପଡା, କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ରହିବ। ଏହା ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବାର ପୂର୍ବାନୁମାନ କରାଯାଇଛି।

ରାଜ୍ୟରେ ଏବେ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି। ଦୀପାବଳି ପରେ ସକାଳର ଥଣ୍ଡା ଓଡ଼ିଶାକୁ ପ୍ରବେଶ କରିବ। ଏପରିକି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ନଭେମ୍ବର ୮-୯ ରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୩-ଡିଗ୍ରୀ ହ୍ରାସ ଘଟିବ।