ଲଘୁଚାପ ପ୍ରଭାବରେ ୨୩ରୁ ବର୍ଷା, ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ୨୩ ତାରିଖଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅନୁମାନ କରିଛନ୍ତି ଯେ ସୋମବାର ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବା ବେଳେ ଏହା ଆସନ୍ତା ଦୁଇଦିନ ଅର୍ଥାତ ୨୩ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ସେପଟେ ରବିବାର କେନ୍ଦ୍ରୀୟ ଆରବସାଗରରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହୋଇଛି। ତାହା କ୍ରମଶଃ ପୂର୍ବ ଦିଗକୁ ଗତି କରି ୨୪ ତାରିଖରେ ମୁମ୍ବାଇ ନିକଟରେ ପହଞ୍ôଚବ।

୨୫ ତାରିଖ ବେଳକୁ ଉଭୟର ପ୍ରଭାବରେ ହିଁ ଓଡ଼ିଶାକୁ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ବୋହିବ। ଫଳରେ ରାଜ୍ୟରେ ୨୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ସେହିଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ସେହିପରି ୨୪ରେ ବର୍ଷାର ପରିମାଣ ଅଧିକ ରହିବା ସହିତ ୨୭ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ହେବ ବୋଲି ପ୍ରଫେସର୍ ପଶୁପାଳକ କହିଛନ୍ତି। ଏହି ସମୟରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ୨୩ ତାରିଖରୁ ୨୭ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହିତ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ।

ସେପଟେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ୨୩ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ଥିବା ବେଳେ ୨୪ରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ଓ କଟକ ଜିଲ୍ଲାରେ ବର୍ଷା ହେବ। ସେହିପରି ୨୫ରେ କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ସହିତ ପରିସ୍ଥିତି ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ଏସଆରସି କହିଛନ୍ତି।