୧୪ ଦିନକୁ ବଢ଼ିପାରେ କ୍ୱାରେଣ୍ଟାଇନ ଅବଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି। ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ରୋଗୀମାନେ ଏଥିରୁ ଉପକୃତ ହେବା ସହ ଖୁବଶୀଘ୍ର ସୁସ୍ଥ ମଧ୍ୟ ହେଉଛନ୍ତି। କିନ୍ତୁ ଗତ କିଛିଦିନ ହେବ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ସମୟକୁ ୧୪ ଦିନ ପରିବର୍ତ୍ତେ ୭ ଦିନ କରାଯାଇଛି। ଏହା ଦ୍ୱାରା କରୋନା ଚିହ୍ନଟ ହେବାରେ ଅସୁବିଧା ହେବା ସହ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସରକାର କ୍ୱାରେଣ୍ଟାଇନ ଶିବିରର ଅବଧିକୁ ୭ ଦିନରୁ ପୁନର୍ବାର ୧୪ ଦିନକୁ ବୃଦ୍ଧି କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ପୂର୍ବରୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ ରହଣିକୁ ୨୧ ଦିନ ବୃଦ୍ଧି କରିବା ସହ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏପରି ପରିସ୍ଥିତିରେ ବାହାରୁ ଆସିଥିବା ଶ୍ରମିକ ଭାଇ କିମ୍ବା ଭଉଣୀମାନଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ଏବଂ ସାମାଜିକ ଦୂରତା ନିଜ ଘରେ ପାଳନ କରିବା ସମ୍ଭବ ନୁହେଁ। ଏହା ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବା ସହ ସେମାନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଉ। ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।