ପଦୋନ୍ନତି ପାଇବେ ୬୩,୩୦୩ ପ୍ରାଥମିକ ଶିକ୍ଷକ

  • ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି। ଏହାଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ସହିତ ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରରେ ପ୍ରଧାନଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନସ୍ତରରେ ଶିକ୍ଷକ ପଦବୀ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
    ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪କୁ ପଦୋନ୍ନତି ପାଇବେ। ଏହାସହିତ ଲେଭେଲ ୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩କୁ ପଦୋନ୍ନତି ପାଇବେ। ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେସନ୍ସିି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବାବେଳେ ଲେଭେଲ-୪ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିୟଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି ।
    ସୂଚନାଯୋଗ୍ୟ ଯେ, ୨୦୧୯ରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡରର ପୁନଃଗଠନ କରାଯାଇ ଲେଭେଲ-୪ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ରେ ଥିବା ୯୩୦୫ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।