ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଖୋଲିଲା ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ରବିବାର) ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଲୋକାର୍ପଣ କରିଛନ୍ତି । ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାସହିତ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଦିଗରେ ଏହି ବ୍ୟାଙ୍କିଙ୍ଗ ୟୁନିଟ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା, ୨୦୨୨-୨୩ କେନ୍ଦ୍ର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ଦେଶର କୋଣ ଅନୁକୋଣରେ ଡିବିୟୁଏସ୍‌ର ସୁଫଳ ପ୍ରସାର କରିବା ପାଇଁ ଏହାକୁ ସ୍ଥାପନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।

ସେହିପରି ୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୨ଟି ବେସରକାରୀ ବ୍ୟାଙ୍କ, ଗୋଟିଏ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହି ମହତ୍ତ୍ବପୂର୍ଣ୍ଣ ପ୍ରୟାସରେ ସାମିଲ ହୋଇଛନ୍ତି । ଏହି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟରେ ସେଭିଂ ଆକାଉଣ୍ଟ, ବାଲାନ୍ସ ଚେକ, ଫଣ୍ଡ ଟ୍ରାନ୍ସଫର, ଆକାଉଣ୍ଟ ଷ୍ଟେଟମେଣ୍ଟ ଦେଖିବା, ଜମା ପୁଞ୍ଜିରେ ନିବେଶ, ଲୋନ ଆବେଦନ, କ୍ରେଡିଟ/ଡେବିଟ କାର୍ଡ ଆବଦେନ, ଟିକସ ପୈଠ, ଦେୟ ପୈଠ, ନୋମିନେସନ ଆଦି ଅନେକ ସୁବିଧା ମିଳିବ । ଏହା ଗ୍ରାହକମାନଙ୍କୁ ବର୍ଷ ତମାମ୍ କମ୍ ମୂଲ୍ୟରେ ସୁବିଧାଜନକ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବ । ଏହା ଲୋକମାନଙ୍କ ମଧ୍ୟରେ ଡିଜିଟାଲ ଫାଇନାନ୍ସିଆଲ ସାକ୍ଷରତା ଏବଂ ସାଇବର ସୁରକ୍ଷା ସଚେତନତା ପ୍ରସାର କରିବ ।