ବାତ୍ୟା ‘ଗୁଲାବ୍‌’ ପାଇଁ କ୍ୟାବିନେଟ୍ ସଚିବଙ୍କ ସମୀକ୍ଷା: ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ

ବାୟୁସେନା, ନୌବାହିନୀର ଯବାନ ପ୍ରସ୍ତୁତ, ଏନ୍‌ଡିଆରଏଫ୍ ୧୮ ଟିମ୍ ନିୟୋଜିତ 

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାତ୍ୟା ‘ଗୁଲାବ୍‌’ ପାଇଁ ବାୟୁସେନା ଓ ନୌବାହିନୀର ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ସେହିପରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଏନ୍‌ଡିଆରଏଫ୍ ୧୮ ଟିମ୍ ନିୟୋଜିତ ହୋଇଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟିମ୍ ନିୟୋଜିତ କରାଯିବ। ତେବେ ‘ଶୂନ୍ୟ’ ମୃତ୍ୟୁ ଉପରେ ଫୋକସ୍ କରାଯାଇଛି। ଏହି ସୂଚନା ଦେଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା।

 ଶନିବାର ନୂଆଦିଲ୍ଲୀରେ ‘ଜାତୀୟ ସଙ୍କଟ ପରିଚାଳନା କମିଟି’ ବା ଏନ୍‌ସିଏମ୍‌ସି ବୈଠକ ବସିଥିଲା। କ୍ୟାବିନେଟ ସଚିବ ରାଜୀବ ଗୌବା ଏଥିରେ ଅଧ୍ୟକ୍ଷତା କରିଥିଲେ। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍‌’ ପରବର୍ତ୍ତୀ ଭୟଙ୍କର ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଏଜେନ୍ସି ଓ ରାଜ୍ୟ ସରକାର ମିଳିତ ହୋଇ କାର୍ଯ୍ୟ କରିବା ଉପରେ ସେ ଫୋକସ୍ କରିଥିଲେ। ଶ୍ରୀ ଗୌବା କହିଥିଲେ ଯେ ବାତ୍ୟା ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସି ଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ମୃତ୍ୟୁ ସଂଖ୍ୟାକୁ ‘ଶୂନ’ କରିବା ଏବଂ କ୍ଷୟକ୍ଷତି ପରିମାଣକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେବା ଦରକାର। ଉଦ୍ଧାର କାର୍ଯ୍ୟରେ ଆନ୍ଧ୍ର ଓ ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି। ଜାହାଜ ଓ ବିମାନ ସହିତ ସେନା ଓ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି। ବାତ୍ୟା ବିପନ୍ନଙ୍କୁ ଆବଶ୍ୟକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ମହଜୁଦ ରଖିବା ଆବଶ୍ୟକ। ବିଶେଷକରି କୋଭିଡ୍ ମାର୍ଗଦର୍ଶିକା ପାଳନ ପାଇଁ ସେ ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ୨୬ ସନ୍ଧ୍ୟା ସୁଦ୍ଧା ବାତ୍ୟା ବେଳେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ। ସ୍ଥଳ ବିଶେଷରେ ଘଣ୍ଟାପ୍ରତି ପବନର ବେଗ ୯୫ କିଲୋମିଟର ଟପିପାରେ। ପବନ ସହ ଅତି ପ୍ରବଳ ବର୍ଷା ହେବ। ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି। ତେଣୁ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଓ ବିଶାଖାପାଟନମ୍‌ରେ ବାତ୍ୟାର ସିଧାସଳଖ ପ୍ରଭାବ ରହିବ। ଏଥିପାଇଁ ସତର୍କତା ଜରୁରୀ ବୋଲି ସେ କହିଥିଲେ।

ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେଇ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ବି ନିଜ ରାଜ୍ୟର କଥା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ଓ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କ ସମେତ ବୈଠକରେ ଏନ୍‌ଡିଆର୍‌ଏଫ୍ ମହାନିର୍ଦ୍ଦେଶକ ଏସ ଏନ ପ୍ରଧାନ, ସିଆଇଏସସି ଆଇଡିଏସ୍‌, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଟେଲିକମ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।