ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା

ବରଗଡ଼,ଏନ୍ଏନ୍ଏସ୍: ରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅସ୍ତ୍ରୋପଚାର ବେଳେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି। ମୃତା ମହିଳା ଜଣଙ୍କ ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ।

ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ଭୁଲ ଇଞ୍ଜେକସନ ଯୋଗୁଁ ରେଖା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ମାନସ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।