ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତ କରୁଛି ବିଜେପି: ପ୍ରମିଳା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ବିଜେପିର ଅଭ୍ୟାସ ଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମାହାଙ୍ଗା ଡବଲ ମର୍ଡର ମାମଲାରେ ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ମାମଲାଟି କୋର୍ଟରେ ବିଚାରାଧୀନ ରହିଛି। ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ ଏହି ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି। ଯେତେଦୂର ସିଡିଆର କଥା, ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି ଏବଂ ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ। ଆମେ ଆଶା କରୁଛୁ ଶ୍ରୀ ମହାନ୍ତି ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ ଏବଂ ଅଦାଲତଙ୍କ ଆଦେଶ ଉପରେ ସୁହାଇଲା ଭଳି ମନ୍ତବ୍ୟ ଦେବା ପରିବର୍ତ୍ତେ ଆଇନକୁ ତା’ କାର୍ଯ୍ୟ କରିବାକୁ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।