ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କମେଡି କିଙ୍ଗ୍ କପିଲ ଶର୍ମା

  • ଭୁବନେଶ୍ୱର : ଜାତୀୟ ଟିଭି ଶୋ’ରେ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କମେଡି କିଙ୍ଗ କପିଲ ଶର୍ମା। ନିକଟରେ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ଅତିଥିଭାବେ ଯାଇଥିଲେ। ଅଲିମ୍ପିକ୍ସରେ ଉଭୟଙ୍କର ଦମଦାର ପ୍ରଦର୍ଶନ ପରେ ସେମାନଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ଶୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଦେଖିବାକୁ ମିଳିଛି।
    ଭାରତୀୟ ହକିର ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପଛରେ ଥିବା ସାଇଲେଣ୍ଟ ହିରୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋ’ ଜରିଆରେ ଦେଇଛନ୍ତି ନିଜ ଭିଡିଓ ବାର୍ତ୍ତା। ଭାରତର ଜାତୀୟ ଖେଳ ହକିକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମେଡି କିଙ୍ଗ କପିଲ ଶର୍ମା ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ଜରିଆରେ ଦେଶର ନାଁ ଉଜ୍ୱଳ କରିଛନ୍ତି। ଏହା ଆଗାମୀ ଦିନର ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ସେମାନେ ଏମାନଙ୍କ ଦ୍ୱାରା ଅନୁପ୍ରରିତ ହେବେ ବୋଲି ମୁଁ ଆଶା କରୁଛି। ଏହା ତ ଶୁଭାରମ୍ଭ ମାତ୍ର, ଆମକୁ ଆହୁରି ଉଚ୍ଚତ୍ତର ସୋପାନକୁ ଯିବାକୁ ହେବ।