ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ରାଜନୀତିରେ ବିସ୍ଫୋରକ ଘଟଣା। ସୃଷ୍ଟି ହେବ ନୂଆ ସମୀକରଣ। ଦକ୍ଷିଣ ଓଡିଶାରୁ ସଫା ହୋଇଯିବ ଜାତୀୟ କଂଗ୍ରେସ। ଦୀର୍ଘ ବର୍ଷ ଧରି ଲାଗିଥିବା ଚର୍ଚ୍ଚାରେ ପଡିଲା ଯବନିକା। ଅନେକ ବିଚାର ବିମର୍ଷ, ଆଲୋଚନା ପର୍ଯ୍ୟାଲୋଚନା, ସମୀକ୍ଷା ପରେ ଦୀର୍ଘ ୧୫ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଲେ ରାଜ୍ୟ କଂଗ୍ରେସର ଅନ୍ୟତମ ଲୋକପ୍ରିୟ ନେତା ତଥା, କଂଗ୍ରେସର ଆଦିବାସୀ ଚେହେରା, ଜାତୀୟ କଂଗ୍ରେସର ଅନ୍ୟତମ ଯୁବ ନେତା, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ।

ଆଜି ଦଳର ସର୍ବଭାରତୀୟ ଆନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରଦୀପ। ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଜାତୀୟ କଂଗ୍ରେସର ପ୍ରମୁଖ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଗରିବ ଲୋକଙ୍କ ସେବା ପାଇଁ ମୁଁ ଜାତୀୟ କଂଗ୍ରେସରେ ଯୋଗଦେଇଥିଲି। ବିନା ଦାବିରେ ଦଳ ମଧ୍ୟ ମୋତ ବଡ ବଡ ସୁଯୋଗ ଦେଇଛି। କଂଗ୍ରେସ ଦେଇଥିବା ଦାୟିତ୍ୱ ମୁଁ ନିଷ୍ଠାର ସହକାରେ ତୁଲାଇଛି ଏବଂ ଲୋକଙ୍କ ଭଲପାଇବା ମଧ୍ୟ ପାଇଛି। କିଛି ଲୋକଙ୍କ ପାଇଁ କଂଗ୍ରେସ ବର୍ତ୍ତମାନ ଜନସମର୍ଥନ ହରାଇଛି। ଦଳରେ ବର୍ତ୍ତମାନ ଜନସେବାର ସୁଯୋଗ ନଥିବାରୁ ମୁଁ ଦଳ ଛାଡୁଛି ବୋଲି କହିଛନ୍ତି ପ୍ରଦୀପ।