ବ୍ରହ୍ମପୁର, ଭୁବନେଶ୍ୱର ମହାନଗର ନିଗମରେ ମେୟର ପଦବୀ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ ବ୍ରହ୍ମପୁର ମହାନଗର ନଗର ନିଗମର ମେୟର ପଦବୀ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି। ହେଲେ କଟକ ମହାନଗର ନିଗମ (ସିଏମସି)ର ମେୟର ପଦବୀ ଅସଂରକ୍ଷିତ ରହିଛି। ବୁଧବାର ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି ଓ ଓଡ଼ିଶା ମ୍ୟୁନିସପାଲ ଆକ୍ଟ -୨୦୦୩ ଧାରା-୧୪, ଉପଧାରା-୩,୪ ଏବଂ ରୁଲ୍ସ-୮୦ ଓ ସବ ରୁଲ୍ସ-୮ ଆଧାରରେ ସମ୍ପୃକ୍ତ ବିଭାଗ ତିନି ମହାନଗର ନିଗମର ମେୟର ପଦବୀ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଓ ତଦନୁଯାୟୀ ଭୁବନେଶ୍ୱରର ମହାନଗର ନିଗମ (ବିଏମ୍‌ସି) ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି।

ସେହିପରି କଟକ ମହାନଗର ନିଗର ନିଗମ (ସିଏମ୍‌ସି) ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି। ଚିଠା ବିଜ୍ଞପ୍ତି ଅନୁସାରେ ଆପତ୍ତି ଓ ଅଭିଯୋଗ ନେଇ ୧୫ ଦିନ ରହିଛି ଓ ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର କିଛି କହିବାର ଅଛି, ଏହି ଧାର୍ଯ୍ୟ ସମୟ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି। ତେବେ ଏହି ଚିଠା ବିଜ୍ଞପ୍ତି ପରେ ଅନେକ ଆଶାୟୀ ମେୟର ପ୍ରର୍ଥୀଙ୍କ ମନ ଖଟକା ହୋଇଛି ଓ ସେମାନଙ୍କ ସମର୍ଥନମାନେ ଏହାକୁ ପରୋକ୍ଷ ବିରୋଧ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।