ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ଅଗ୍ରଣୀ ସ୍ଥାନରେ ରହିଥିବା ପୋର୍ଟାଲ୍ ତଥ୍ୟରୁ ଜଣାପଡ଼ିଛି। ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରୁ ଏହା ଜଣାପଡ଼ିଛି।
ରାଜ୍ୟ ଲୋକସେବା ଭବନରୁ ‘ଡିଜିଟାଲ୍ ମୋଡ୍’ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାରେ ପିଏମଜିଏସୱାଇର ୧ମ ଓ ୨ୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ସହ ୩ୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଆର୍ଥିକ ଓ ବୈଷୟିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଗ୍ରାମ ରାସ୍ତା ସଂଯୋଗୀକରଣରେ ପ୍ରସ୍ତାବଗୁଡ଼ିକର ଗୁରୁତ୍ୱ ବିଚାରକରି ପିଏମଜିଏସୱାଇର ୩ୟ ପର୍ଯ୍ୟାୟରେ ସମୁଦାୟ ୯୪୦୦ କିମି ରାସ୍ତା ନିର୍ମାଣ ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା। ନିର୍ମାଣର ଗୁଣାତ୍ମକମାନ ଓ ନିର୍ମାଣ ସରିଥିବା ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ। ୩ୟ ପର୍ଯ୍ୟାୟ ରାସ୍ତା ନିର୍ମାଣ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଆରମ୍ଭ କରି ୨୦୨୪-୨୫ ବର୍ଷ ମଧ୍ୟରେ ସାରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜଣାଇଥିଲେ ଯେ, ଭୂ-କେନ୍ଦ୍ରିକ ମ୍ୟାପିଂ ମାଧ୍ୟମରେ ରାସ୍ତାଗୁଡ଼ିକର ଅଗ୍ରାଧିକାର ସ୍ଥିର କରାଯାଉଛି। ଗୋଟିଏ ରାସ୍ତା କେତେ ଗ୍ରାମକୁ ସଂଯୋଗ କରିବ, ଏହାଦ୍ୱାରା କେତେ ଲୋକ ଉପକୃତ ହେବେ, ରାସ୍ତାଟି କେତେ ହସ୍ପିଟାଲ୍, ବିଦ୍ୟାଳୟ, ଗ୍ରାମୀଣ ବଜାର, ପର୍ଯ୍ୟଟନସ୍ଥଳୀ ଆଦିକୁ ସଂଯୋଜିତ କରିବ ଏସବୁ କଥା ବିଚାରକୁ ନେଇ ରାସ୍ତାର ନିର୍ମାଣ ଅଗ୍ରାଧିକାର ସ୍ଥିର କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।
ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରଥମ ଦଫାରେ ୧୩ଟି ଜିଲ୍ଲାର ୩୫୦୦ କିମି ରାସ୍ତା ନିର୍ମାଣ ପାଇଁ ୫୧୮ଟି ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ଅନୁଗୁଳ ଜିଲ୍ଲାର ୨୯ଟି ପ୍ରକଳ୍ପ ପ୍ରସ୍ତାବ, ବରଗଡ଼ର ୪୧ଟି, ବୌଦ୍ଧର ୧୨ଟି, ଦେଓଗଡ଼ର ୧୨ଟି, ଢେଙ୍କାନାଳର ୩୫ଟି, ଗଜପତିର ୪୧ଟି, ଝାରସୁଗୁଡ଼ାର ୨୬ଟି, କନ୍ଧମାଳର ୫୭ଟି, କେନ୍ଦୁଝରର ୫୨ଟି, କୋରାପୁଟର ୭୧ଟି, ରାୟଗଡ଼ାର ୪୬ଟି, ସୋନପୁରର ୨୮ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୬୮ଟି ପ୍ରକଳ୍ପ ପ୍ରସ୍ତାବ ଏହାର ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ସମୁଦାୟ ୨୨୦୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଗ୍ରାମ ଉନ୍ନୟନ ବିଭାଗ ଇଞ୍ଜିନିୟର୍ ଇନ୍ ଚିଫ୍ ଚନ୍ଦ୍ରମୌଳି ପଟ୍ଟନାୟକ ଜଣାଇଥିଲେ। ଅବଶିଷ୍ଟ ୧୭ଟି ଜିଲ୍ଲାର ୫,୯୦୦ କିମି ରାସ୍ତା ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ନିର୍ମାଣ ସମୟରେ ମୁଖ୍ୟ ରାସ୍ତାକୁ ନିକଟବର୍ତ୍ତୀ ଗ୍ରାମ ଓ ଅନୁଷ୍ଠାନଗୁଡ଼ିକ ସହ ସଂଯୋଗ କରିବା ନିମନ୍ତେ ଲିଙ୍କ୍ ରାସ୍ତା ବା ପୋଲ ନିର୍ମାଣ କରିବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶକ ସୁଦର୍ଶନ ପରିଡ଼ା ଜଣାଇଥିଲେ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ୫୩୦୦୦ କିମି ରାସ୍ତା ନିର୍ମାଣ ହୋଇଛି, ଯାହାକି ଜାତୀୟ ପୋର୍ଟାଲର ତଥ୍ୟ ଅନୁସାରେ ସବୁ ରାଜ୍ୟଠାରୁ ଅଧିକ। ସେହିପରି ଗତ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷରେ ରାଜ୍ୟ ସର୍ବାଧିକ କିମି ରାସ୍ତା ନିର୍ମାଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା।