ଭୂସ୍ଖଳନ ଅଞ୍ଚଳ ଚିହ୍ନଟ ହେବ : ଦାୟିତ୍ୱ ନେବ ମୁମ୍ବାଇ ଆଇଆଇଟି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଖୁବଶୀଘ୍ର ରାଜ୍ୟରେ ଚିହ୍ନଟ ହେବ ଭୂସ୍ଖଳନପ୍ରବଣ ଅଞ୍ଚଳ। ଏହି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ଦାୟିତ୍ୱ ମୁମ୍ବାଇ ଆଇଆଇଟିକୁ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ବିଗତ କିଛିବର୍ଷ ମଧ୍ୟରେ ଭୂସ୍ଖଳନପ୍ରବଣ ରାଜ୍ୟରେ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଗତ ତିତ୍ଲି ଓ ଲଘୁଚାପ ବର୍ଷାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ଏହାର ମୁକାବିଲା କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର କେଉଁ କେଉଁ ଅଞ୍ଚଳଗୁଡ଼ିକରେ ଭୂସ୍ଖଳନର ଆଶଙ୍କା ରହିଛି ଏବଂ ଭବିଷ୍ୟତରେ ଯେମିତି ଏହାଦ୍ୱାରା ଧନଜୀବନ ନଷ୍ଟ ନହୁଏ ତାକୁ ଗୁରୁତ୍ୱ ଦିଆଯାଇଛି। ତେବେ ବର୍ତ୍ତମାନ ରାଜ୍ୟରେ ଥିବା ଭୂସ୍ଖଳନର ଅଞ୍ଚଳଗୁଡ଼ିକୁ ମୁମ୍ବାଇ ଆଇଆଇଟିର ଏକ ସ୍ୱତନ୍ତ୍ର ଟିମ୍ ଚିହ୍ନଟ କରିବେ। ଏହାପରେ ସେହିସ୍ଥାନର ଲୋକଙ୍କୁ ଏ ବିଷୟରେ ସଚେତନ କରାଯିବ। କେମିତି ଏହି ବିପର୍ଯ୍ୟୟ ସହ ମୁକାବିଲା କରିହେବ ସେ ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ଶ୍ରୀ ଜେନା କହିଛନ୍ତି।