ବିମାନ ଯାତ୍ରାର ନିଆରା ଅନୁଭୂତି ସାଉଁଟିଲେ ଭିନ୍ନକ୍ଷମ ପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିନ୍ନକ୍ଷମାମାନଙ୍କ ସ୍ୱପ୍ନରେ ଥାଏ ଅନେକ ଅଭିଳାଷ। ସେହିପରି ଏକ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି ଏକ ଅଭିନବ କାର୍ଯ୍ୟକ୍ରମ। ପ୍ରଥମଥର ପାଇଁ ୪୮ଜଣ ଭିନ୍ନକ୍ଷମ ଶିଶୁ କିଶୋର ବିମାନଯାତ୍ରାର ଆନନ୍ଦ ଲାଭ କରିଛନ୍ତି। ସେମାନଙ୍କ ସହ ୨୧ଜଣ ସହଯୋଗୀ ମଧ୍ୟ ରହିଥିଲେ। ବୁଧବାର ସକାଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆୟୋଜିତ ଏକ ମୁଖରିତ ପରିବେଶରେ ଏହି ଗରୀବ ଓ ଆଦିବାସୀ ଭିନ୍ନକ୍ଷମ ପିଲାମାନେ ୪୦ମିନିଟ୍ ଧରି ଆକାଶରେ ଉଡାଣର ଉଲ୍ଲାସ ଅର୍ଜନ କରିଛନ୍ତି। ସମସ୍ତଙ୍କ ଆଖିରେ ଥିଲା ଚମକ, ମୁହଁରେ ଖୁସି, ଓଠରେ ହସ ଓ ମନରେ ପରିତୃପ୍ତି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏହି ‘ଡ୍ରିମ୍ ଫ୍ଲାଇଟ୍’ ଶୀର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମମାନେ ଆମ ସାମାଜିକ ମୂଳସ୍ରୋତର ଅଂଶ ଓ ସେମାନଙ୍କ ପାଇଁ ସମସ୍ତଙ୍କର ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା ଉଡାଣର ଶୁଭାରମ୍ଭ କରି ଏପରି କାର୍ଯ୍ୟକ୍ରମର ସଫଳତା ପାଇଁ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭିନ୍ନକ୍ଷମ ସଶକ୍ତିକରଣ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ସଂଗଠିକା ଓ ସମାଜସେବୀ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ସଂଗଠନ ସ୍ୱାଭିମାନର ଉଦ୍ୟମରେ ଏବଂ ଇଣ୍ଡିଆନ୍ ଏୟାରଲାଇନ୍, ଏୟାର ଆଲିଆନ୍ସ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପିଲାମାନେ ସକାଳୁ ‘ମୋ ବସ୍’ ଯୋଗେ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରୁ ପିଲାମାନେ ବିମାନବନ୍ଦରର ଲାଉଞ୍ଜରେ ପହଞ୍ଚିଥିଲେ।

ଏହି ଅବସରରେ ଭିନ୍ନକ୍ଷମ କିଶୋର ସାର୍ଥକ ପାଣିଗ୍ରାହୀ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିବାବେଳେ ଉଡାଣ ଉଦ୍ଦେଶ୍ୟରେ କେକ୍ କଟାଯାଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ଶାସନସଚିବ ଉଷା ପାଢୀ, ସମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ, ଏୟାର ଆଲିଆନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଏସ୍ ହୋତା, ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ଭିଭି ରାଓ, ସମାଜସେବୀ ଶିଳ୍ପପତି ଦେବାଶିଷ ପଟ୍ଟନାୟକ, ଅଭିନେତା ସବ୍ୟସାଚୀ, ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ପିଲାମାନଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ କେକ୍ ବାଣ୍ଟି ବିମାନ ଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।

ଏହି ୪୮ଭିନ୍ନକ୍ଷମ ପିଲାମାନଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ସ୍ୱପ୍ନ ସାକାର ହେଉଥିବାରୁ ସେମାନେ ଉଡାଣ ପାଇଁ ନିଜ ନିଜର ଆନନ୍ଦ ବ୍ୟକ୍ତ କରୁଥିଲେ। ଏପରି କାର୍ଯ୍ୟକ୍ରମ ଭିନ୍ନକ୍ଷମ ପିଲାମାନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ସହ ସେମାନଙ୍କୁ ଏକ ଅର୍ଥପୂର୍ଣ୍ଣ ଭିବଷ୍ୟତ ଗଢିବା ନିମନ୍ତେ ପ୍ରେରିତ କରିବ ବୋଲି ଆଶା ପ୍ରକଟ କରିଥିଲେ ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ମହାପାତ୍ର। ଏଥିରେ ଭିନ୍ନକ୍ଷମ ପିଲାମାନଙ୍କ ମେଳରେ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମତ ବିନିମୟ ସେମାନଙ୍କୁ ଉତ୍ସାହିତ କରିଥିଲା। ପିଲାମାନଙ୍କ ସହ କଥା ହେବାଠାରୁ ଆରମ୍ଭ କରି ସେମାନଙ୍କ ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ପଦସ୍ଥ ଅଧିକାରୀ, ସ୍ୱେଚ୍ଛାସେବୀ। ଏପରି ଅଭିନବ କାର୍ଯ୍ୟକ୍ରମରାଜ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରୋତ୍ସାହନକୁ ପ୍ରମାଣିତ କରିଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଥିଲାବେଳେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ମଧ୍ୟ ଭିନ୍ନକ୍ଷମ ପିଲାମାନେ ବଦାଇ ଜଣାଇଥିଲେ।