ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଏସ୍‌ଆର୍‌ସି: ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ, ୩୪୭୦୨ ହେକ୍ଟର ଚାଷ ଜମି

ଭୁବନେଶ୍ବର,ଏନ୍ଏନ୍ଏସ୍: ବନ୍ୟା ଯୋଗୁଁ ରାଜ୍ୟର ସ୍ଥିତି ବେହାଲ ରହିଛି । ୧୨ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୬୪ ବ୍ଲକର ୧୭୫୭ ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ତେବେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ଏହାରି ବନ୍ୟାସ୍ଥିତିକୁ ନେଇ ପ୍ରେସ୍‌ମିଟ୍ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । କଟକ ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମିବାରେ ଲାଗିଛ । ବୁଧବାର ରାତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପିକ୍ ଫ୍ଲୋ’ ଧୀରେଧୀରେ କମିବାରେ ଲାଗିଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହଛନ୍ତି, “ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ୬୭ ହଜାର ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବୁଧବାର ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ସନ୍ଧ୍ୟା ୭ଟାରେ ୧୦ ଲକ୍ଷ ୪୯ ହଜାର ହୋଇଥିଲା । ରାତି ୯ଟାରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଏହା ୯ ଲକ୍ଷ ପର‌୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି । ହୀରାକୁଦରେ ଆସନ୍ତାକାଲି(ଗୁରୁବାର) ଆଉକିଛି ଗେଟ୍ ଖୋଲିବା ସମ୍ଭାବନା ରହିଛି । ତେଣୁ ଜଳସ୍ତର ବଢ଼ିବ ।”

ବର୍ତ୍ତମାନ ରାଜ୍ୟରେ ୪ ଜିଲ୍ଳାରେ ବନ୍ୟା ପିକ୍‌ରେ ରହିଛି । କେନ୍ଦ୍ରପଡ଼, ଜଗତସିଂହପୁର, କଟକ, ପୁରୀର ତଳିଆ ଅଞ୍ଚଳ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ବୁଧବାର ରାତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବୁଧବାର ସୁଦ୍ଧା ୧୯୭ ଘଳିଆ ବନ୍ଦ କରାଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପାନୀୟ ଦିଆଯାଉଛି । ସେମାନଙ୍କ ପାଇଁ ପର‌୍ୟ୍ୟାପ୍ତ ପରିମାଣରେ ପଲିଥିନ ଗଚ୍ଛିତ ଅଛି ।

ବୁଧବାର ସକାଳୁ ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଇକା ନଦୀର କାଠକୋଟଠାରେ ଘାଇ ହୋଇଛି । ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି । ଆକଳନ ମୁତାବକ ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକେ ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ୪୨୫ ଗାଁ ଜଳବନ୍ଦୀ ହୋଇଛି ।

ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ । ଏବେ ହୀରାକୁଦ ଡ୍ୟାମ୍‌ରେ ୬୨୬.୧୪ ଫୁଟ୍ ପାଣି ଅଛି । ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି । ଏବେ ୪୦ ଟି ଗେଟ୍ ଖୋଲା ରହିବ । କାଲିଠୁ ବର୍ଷା ସମ୍ଭାବନା ଥିବାରୁ ବର୍ଷା ପରେ ହୀରାକୁଦରେ ଜଳସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖାଯାଇଛି ।