ଭଲ କାମ କଲେ ଆଗୁଆ ପଦୋନ୍ନତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନାଧିକାରୀଙ୍କ  ସହିତ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର ୨ରୁ  ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ଜଣଙ୍କୁ ଫୋନ କରି ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର। ମୋ ସରକାର ହେଉଛି ସେମାନଙ୍କ ସରକାର। ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି, ପୁଲିସ ଷ୍ଟେସନ ଚାଲୁଛି। ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ। ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛି, ସେତେବେଳେ ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। 


ମୁଖ୍ୟମନ୍ତ୍ରୀ
 କହିଲେ ଯେ ଲୋକଙ୍କ ମତାମତ ଉପରେ ଭଲକାମକୁ ତୁରନ୍ତ ପ୍ରଶଂସା କରାଯିବ। ଏଥିପାଇଁ ସେ ନିଜେ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବଂ କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜୀକରଣ କରାଯିବ ଏବଂ ଏହା ଏସ୍ପିଙ୍କ ଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ। 


ମୋ
 ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ। ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବେ। ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। 


ଶେଷରେ
 ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି। ପୂର୍ବରୁ ରାଜ୍ୟ ପୁଲିସ ବାମପନ୍ଥୀ ଉଗ୍ରବାଦ ଦମନ କରିବା ହେଉ, ହକି ୱାର୍ଲ୍ଡ କପ୍ ପରିଚାଳନାରେ ହେଉ, ବା ରଥଯାତ୍ରା ପରିଚାଳନା ହେଉ, ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଦେଖାଇ ପାରିଛନ୍ତି। ତେଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ପୁଲିସ ଖୁବ୍‌ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।