ଖୁବ ଶୀଘ୍ର ହେବ ପିସିସି ପୁନର୍ଗଠନ : ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୁବ୍ ଶୀଘ୍ର ପିସିସି ପୁନର୍ଗଠନ ହେବ । କମିଟି ଗଠନ ନେଇ ଚଳିତ ମାସରୁ କାମ ଆରମ୍ଭ କରାଯିବ । ଏହି ସମୟ ମଧ୍ୟରେ କଂଗ୍ରେସକୁ ପୁଣିଥରେ ସୁସଙ୍ଗଠିତ କରିବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । ତଳସ୍ତରରୁ ଉପର ସ୍ତର ପର୍ୟ୍ୟନ୍ତ ସମସ୍ତ କମିଟି ପୁନର୍ଗଠନ କରାଯିବ । ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବ । ପୂର୍ବଭଳି ଜୋନ କମିଟି ରହିବନି । ଏହା ବଦଳରେ ବ୍ଲକ କମିଟି ଗଠନ କରାଯିବ ।

ଏହାଛଡ଼ା ଅପରପକ୍ଷରେ ବିଜେପୁର ପ୍ରାର୍ଥୀ ଚୟନ ସମ୍ପର୍କରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ସେ ଦାୟିତ୍ୱ ଆମେ ନରସିଂହ ମିଶ୍ରଙ୍କୁ ଦେଇଛୁ । ବିଜେପୁର ବାଜି ଜିତିବା ପାଇଁ କଂଗ୍ରେସ ଦେଢ ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ପିସିସି ସଭାପତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଯାହା ନିଷ୍ପତି ନେବ ସେହି ଅନୁସାରେ କାର୍ୟ୍ୟ ହେବ ।