ପାର୍ଟଟାଇମ୍ ଚାକିରି ନାମରେ ଠକେଇ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବେ ସାରା ଦେଶରେ ଅନଲାଇନ ଠକେଇ ବହୁଳ ମାତ୍ରାରେ ବୃଦ୍ଧିପାଉଛି। ଇଣ୍ଟରନେଟ ସହ ଜଡିତ ଥିବା ଲୋକେ ସଚେତନତା ଅଭାବରୁ ଠକେଇର ଶିକାର ହେଉଛି। କେତେବେଳେ ଗିଫ୍ଟର ଲୋଭ ତ କେତେବେଳେ ଆକର୍ଷଣୀୟ ଅଫର ଆଦି ବିଭିନ୍ନ ଉପାୟରେ ଲୋକଙ୍କୁ ଠକେଇ କରୁଛନ୍ତି ସାଇବର ଅପରାଧୀ। ସେମାନଙ୍କୁ ଧରିବା ମଧ୍ୟ ପୁଲିସ ପକ୍ଷେ କଷ୍ଟ ହୋଇପଡୁଛି। ଏପରି ସ୍ଥଳେ ପାର୍ଟ ଟାଇମ ଚାକିରି ନାଁରେ ଠକେଇ କରାଯାଉଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଏଭଳି କୋଣସି ଚାକିରି ପାଇଁ ମେସେଜ ଆସିଲେ ସେସବୁକୁ ଅଣଦେଖା କରିବା ପାଇଁ କୁହାଯାଇଛି।
ଗୃହ ମନ୍ତ୍ରଣାଳୟର ସାଇବର ଡୋଷ୍ଟ ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସାଇବର ଅପରାଧୀମାନେ ପ୍ରଥମେ ହ୍ୱାଟସପ୍, ଫେସବୁକ ଜରିଆରେ ପାର୍ଟ ଟାଇମ ଚାକିରି ନେଇ ଏକ ମେସେଜ ପଠାଉଛନ୍ତି। ଯେଉଁ ମେସେଜରେ ସେମାନେ ପାର୍ଟ ଟାଇମ ଚାକରି ଅଫର ଦେଇ ଏଥିପାଇଁ କୌଣସି ଫି’ଦେବାକୁ ପଡିବ ନାହିଁ । ଏହାଦ୍ୱାରା ତୁମର ନିତିଦିନିଆ କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଘରେ ରହି ଆପଣମାନେ ରୋଜଗାର କରିପାରିବେ ବୋଲି ମେସେଜ ଆସୁଛି। ପାର୍ଟ ଟାଇମ କାମ ବିଷୟରେ ସୂଚନା ଦେଇ ଠକ କହୁଛନ୍ତି ଯେ ଆମେ ବଡ଼ ବଡ଼ କମ୍ପାନୀ ଅବା ଉପଭୋକ୍ତମାନଙ୍କର ବ୍ୟବସାୟ ହ୍ୟାଣ୍ଡେଲ କରୁଛୁ। ଯେଉଁମାନେ ସେମାନଙ୍କ ବେପାର ପାଇଁ ଅଧିକ ଏକାଉଣ୍ଟ ଚାହୁଁଛନ୍ତି। ତେଣୁ ସେମାନଙ୍କ ପାଇଁ ଆମେ କିଛି ପାର୍ଟ ଟାଇମ ଚାକରି ଦେଉଛୁ। ଆପଣଙ୍କୁ ସେମାନଙ୍କ ବେପାର ପାଇଁ ଏକ ଏକାଉଣ୍ଟ ଖୋଲିବାକୁ ପଡିବ ଏବଂ ଏଥିପାଇଁ କମିଶନ ମିଳିବ।
ଯେଉଁମାନେ ସେମାନଙ୍କ କଥାରେ ପଡ଼ି ଏଥିରେ ରାଜି ହେଉଛନ୍ତି ସେମାନଙ୍କୁ କଳାକନା ବୁଲାଇଦେଉଛନ୍ତି ଅପରାଧୀ। ସାଇବର ଅପରାଧୀମାନେ ସେମାନଙ୍କ ପାଖକୁ ଏକ ୱେବ୍ ଲିଙ୍କ୍ ଦେବା ସହ ଆପ ଡାଉନଲୋଡ ପାଇଁ କହୁଛନ୍ତି। ସେହି ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ଫୋନରେ ଭାଇରସ ପ୍ରବେଶ କରିବା ସହ ତଥ୍ୟକୁ ଅସୁରକ୍ଷିତ କରିଦେଉଛି। ପରେ ସେମାନେ ସବୁ ତଥ୍ୟ ଜାଣିବା ସହ ଆକାଉଣ୍ଟରୁ ଟଙ୍କା ନେଇଯାଉଛନ୍ତି।
ସାଇବର ଡୋଷ୍ଟ ପକ୍ଷରୁ ଏନେଇ ସତର୍କ କରାଯିବା ସହ ଏପରି କୌଣସି ଲିଙ୍କରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି। ଅବା ସେମାନେ କହୁଥିବା କୌଣସି ଆପ ଡାଉନଲୋଡ ନ କରିବାକୁ ମଧ୍ୟ କୁହାଯାଇଛି। ସେମାନଙ୍କ ଫାଶରେ ପଡ଼ି କୌଣସି ଟଙ୍କା ଅବା ସୂଚନା ନ ଦେବାକୁ କୁହାଯାଇଛି। ଯଦି କେହି ଏପରି କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ସାଇବର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ୧୫୫୨୬୦ ହେଲ୍ପ ଲାଇନ ନମ୍ବରରେ ସକାଳ ୯ଟାରୁ ସନ୍ଧ୍ୟା ୬ ମଧ୍ୟରେ କଲ କରିବା ପାଇଁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ଓଡ଼ିଶାର ୮୬୭ ଟି ସାଇବର ମାମଲା ରୁଜୁ ହୋଇଥିଲା। ତେବେ ୨୦୧୯ରେ ଏହି ସଂଖ୍ୟା ୧୪୭୫ ଛୁଇଁଥିଲା। ୨୦୨୦ର ରିପୋର୍ଟ ପ୍ରକାଶ ପାଇ ନ ଥିବା ବେଳେ ଏହି ସଂଖ୍ୟା ବହୁଳ ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଯଦି ଆକଳନ କରାଯାଏ ଓଡ଼ିଶାରେ ୭୦%ରୁ ଅଧିକ ସାଇବର ଅପରାଧ ବୃଦ୍ଧି ଘଟିଛି। କିନ୍ତୁ ତଦନ୍ତ କ୍ଷେତ୍ରରେ ସେହି ଅନୁପାତରେ ବୃଦ୍ଧି ଘଟିନାହିଁ। ଅନଲାଇନ, ଆର୍ଟିିଫିସିଆଲ ଇଣ୍ଟିଜେନ୍ସ, ସାଇଣ୍ଡିଫିକ୍ ତଦନ୍ତ ଉପରେ ଓଡ଼ିଶାର ଅଫିସରମାନେ ଏତେଟା ପ୍ରଶିକ୍ଷିତ ନୁହନ୍ତି। ଯାହା ଓଡ଼ିଶା ପୁଲିସର ଚିନ୍ତାର କାରଣ ପାଲଟିଛି।