ଭୁବନେଶ୍ୱର,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ କ୍ରାଇମବ୍ରାଞ୍ଚ ସୂଚନା ପ୍ରଦାନ କରିଛି। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ ହୋଇଛି। ତଦନ୍ତର ନିର୍ଯ୍ୟାସ ଅନୁସାରେ ସୌମ୍ୟଙ୍କ କ୍ୱାର୍ଟର୍ସରେ ହିଁ ଏହି ଘଟଣା ଘଟିଛି। ଘଟଣାରେ ଡିଏଫଓ କିମ୍ବା ରୋଷେୟାଙ୍କର କିଛି ସମ୍ପୃକ୍ତି ନାହିଁ। କିନ୍ତୁ ଘଟଣାରେ ବିଦ୍ୟାଭାରତୀଙ୍କର ଅବହେଳା ଥିବା ତଦନ୍ତରେ ଜଣାପଡ଼ିଛି। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଡିଜି ସଞ୍ଜୀବ ପଣ୍ଡା ଆହୁରି କହିଛନ୍ତି ଯେ, ସୌମ୍ୟରଞ୍ଜନଙ୍କ ସହ ଘଟିଥିବା ଏହି ଦୁର୍ଘଟଣା ତାଙ୍କ କ୍ୱାର୍ଟର୍ସରେ ହିଁ ହୋଇଛି। କିରାସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡ଼ି ଯାଇଥିବା ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି କାହାକୁ ବି ଡାକିନଥିଲେ। ସେଥିପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ) ଲାଗିଛି। ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା। ଏହା ତଦନ୍ତ ଓ ବିଦ୍ୟାଙ୍କ ପୋଲିଗ୍ରାଫ ଟେଷ୍ଟରୁ ସାମ୍ନାକୁ ଆସିଥିଲା।