ଓଟିଡିସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱ ଏବେ ‘କରୋନା’ ବା ‘କୋଭିଡ୍-୧୯ ଭୂତାଣୁ’ ବିରୁଦ୍ଧରେ ଯୁଦ୍ଧ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମୟୋଚିତ ଦୃଢ ପଦକ୍ଷେପ ଓ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁ କରୋନାଜନିତ ସଂକ୍ରମଣକୁ ଓଡ଼ିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ପ୍ରାୟ ସବୁ ଜିଲ୍ଲାକୁ ଲକଡାଉନ୍ କରାଯାଇଛି।

ଏଭଳିସ୍ଥିତିରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଟିଡିସି ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋଭିଡ୍-୧୯)କୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହି ଟଙ୍କା ଆଜି ମନି ଟ୍ରାନ୍ସଫର୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମଗ୍ର ଓଡ଼ିଶାବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ ‘କରୋନା’ରୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ଯେଉଁ ଶପଥ ପାଠ ପାଇଁ ଆହ୍ୱାନ କରିଛନ୍ତି ତାକୁ ସମସ୍ତେ ଅନୁସରଣ କରିବା ପାଇଁ ଶ୍ରୀମତି ମିଶ୍ର ବିନମ୍ର ଅନୁରୋଧ କରିଛନ୍ତି।