ଭୁବନେଶ୍ୱର,ଏନ୍ଏନ୍ଏସ୍: ବାହାର ରାଜ୍ୟମାନଙ୍କ ଭଳି ଓଡ଼ିଶାରେ ମଧ୍ୟ ହେବ ୱେଡିଂ ଡେଷ୍ଟିନେସନ୍। ବିବାହ ଉତ୍ସବକୁ ଆକର୍ଷଣୀୟ ଓ ଉତ୍ସବମୁଖର କରିବାପାଇଁ ଓଟିଡିସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତି ଭରା ମନଲୋଭା ପରିବେଶ ମଧ୍ୟରେ ବିବାହ ଉତ୍ସବ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓଟିଡିସି ପକ୍ଷରୁ ଯୋଗାଇଦିଆଯିବ। ଆଗାମୀ ବିବାହ ଋତୁକୁ ଆଖି ଆଗରେ ରଖି ଓଟିଡିସି ପକ୍ଷରୁ ପରିଚାଳିତ ପ୍ରକୃତି ଭରା କିଛି ପ୍ରମୁଖ ପାନ୍ଥନିବାସରେ ଡେଷ୍ଟିନେସନ୍ ୱେଡିଙ୍ଗ୍ ପ୍ୟାକେଜର ବ୍ୟବସ୍ଥା କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଏହା ୬ଟି ପାନ୍ଥନିବାସରେ ଉପଲବ୍ଧ ହେବ। ମେହେନ୍ଦି, ସଙ୍ଗୀତଠାରୁ ଆରମ୍ଭ କରି ବିବାହ ଉତ୍ସବ ଓ ହନିମୁନ୍ ଓ ଆନିଭର୍ସାରୀ ସବୁକିଛି ଆଡମ୍ବର ହେବ। ପ୍ରଥମେ ଏହା ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଏବଂ ବଡ଼କୂଳରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିଜ ନିଜ ପିଲାମାନଙ୍କ ଏବଂ ବନ୍ଧୁମାନଙ୍କ ବିବାହ କାର୍ଯ୍ୟକ୍ରମ ଏହି ପାନ୍ଥନିବାସଗୁଡିକରେ ସମ୍ପାଦିତ କରିପାରିବେ ବୋଲି ଓଟିଡ଼ିସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।
ଏପରି ନୂତନ ବ୍ୟବସ୍ଥା ଓଟିଡିସି ପକ୍ଷରୁ ପ୍ରଥମଥର ପାଇଁ କରାଯାଇଛି। ଏହବ୍ୟତିତ ନିଗମର ବୁକ୍ ବ୍ୟବସ୍ଥା ସୁଦୃଢ କରିବାପାଇଁ ପ୍ରମୁଖ ଅନ୍ଲାଇନ୍ ଟ୍ରାଭେଲ ଇଣ୍ଟର ମିଡିଆରି ମେକ୍ ମାଇ ଟ୍ରିପ୍, ଗୋଇବିବିଓ ଓ ଯାତ୍ରା ଅନଲାଇନ୍ ସହିତ ଏମଓୟୁ କରାଯାଇଛି। ଏହାସହିତ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନସ୍ଥଳିଗୁଡିକ ଭ୍ରମଣ ପାଇଁ ୨ଟି ବସ୍ ସେବାର ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ସମ୍ପୂର୍ଣ୍ଣ ଆୟୋଜନ ସହିତ ନବଦମ୍ପତିଙ୍କ ପାଇଁ ହନିମୁନ୍ ପ୍ୟାକେଜର ବ୍ୟବସ୍ଥା ମଧ୍ୟ ରଖାଯାଇଛି।
ଚିଲିକାରେ ସମୃଦ୍ଧି ବୃଦ୍ଧି ପାଇଁ ତଥା ପର୍ଯ୍ୟଟକମାନଙ୍କୁ ଚିଲିକା ଭିତରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଖାଇବା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଏକ ନୂତନ ଅତ୍ୟାଧୁନିକ ଭାସମାନ ଭୋଜନାଳୟ ବା ଫ୍ଲୋଟିଂ ରେଷ୍ଟ୍ୟୁରାଷ୍ଟ୍ ଓ ଭାସମାନ ଘର(ହାଉସ୍ ବୋଟ୍)ର ବ୍ୟବସ୍ଥା ଖୁବ୍ଶୀଘ୍ର କରାଯିବ। ଏହାସହିତ ଓଟିଡିସି ପକ୍ଷରୁ ବରକନ୍ୟାଙ୍କୁ ମାଗଣାରେ ୨ରାତି ଓ ୩ଦିନର ଏକ ହନିମୁନ୍ ପ୍ୟାକେଜ୍ ଉପହାର ଦିଆଯିବ।
ଏଥିପାଇଁ ୫୦ଜଣ ଅତିଥିଙ୍କ ପାଇଁ ୨ଲକ୍ଷ ୧୭ହଜାର ଟଙ୍କାର ପ୍ୟାକେଜ୍ ରହିଥିବାବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ପ୍ରାୟ ୪ଲକ୍ଷ ୭୫ହଜାର ଟଙ୍କା ଦେବାକୁ ପଡିବ। ପ୍ରଥମଥର ପାଇଁ ରାଜ୍ୟ, ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ପାନ୍ଥନିବାସରେ ୩୦ପ୍ରତିଶତ ରିହାତି ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଟିଡିସିର ମ୍ୟାନେଜିଂ ଡାଇରେକ୍ଟର ହେମକାନ୍ତ ସଏ ଉପସ୍ଥିତ ଥିଲେ।
ଚିଲିକାର ରମ୍ଭା ଓ ବଡକୂଳରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଇଛି ଫ୍ଲୋଟିଂ ରେଷ୍ଟ୍ୟୁରାଷ୍ଟ୍ ଓ ହାଉସ୍ ବୋଟ୍। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ବିଭାଗ ପକ୍ଷରୁ ୬କୋଟି ୧୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବାବେଳେ ଆସନ୍ତା ୬-୭ମାସ ମଧ୍ୟରେ ଏହି ସେବା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। ଚିଲିକା ହଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ସୁସ୍ୱାଦୁ ଖାଦ୍ୟର ମଜା ନେଇପାରିବେ। ସେହିପରି ହାଉସ୍ ବୋଟ୍ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ଥବରାଦ ହୋଇସାରିଛି। ପ୍ରାଥମିକ ପର୍ଯ୍ୟାୟରେ ୨ଟି ହାଉସବୋଟ୍ ଆସୁଥିବାରୁ ଆଇଆଇଟି ମାଡ୍ରାସର ଜଣେ ନାଭାଲ ଆର୍କିଟେକଚର୍ଙ୍କୁ ଏହାର ଡିଜାଇନ୍ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ସଏ କହିଛନ୍ତି।
ସେହିପରି ଏଣିକି ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍କୁ ବିନା ଶୁଳ୍କରେ ପର୍ଯ୍ୟଟକ ପ୍ରବେଶ କରି ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏଥିପାଇଁ ପର୍ଯ୍ୟଟନ ବିଭାଗ କୋଣାର୍କ ନିକଟସ୍ଥ ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ଗ୍ଲାମରସ୍ କ୍ୟାମ୍ପିଂ’ ବା ଗ୍ଲାମ୍ପିଂ ଉତ୍ସବ ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟକୁ ପ୍ରବେଶଶୁଳ୍କ ମୁକ୍ତ କରିଛି। ପ୍ରତ୍ୟେକ ଶନିବାର ମ୍ୟୁଜିକାଲ୍ କନସର୍ଟ ଆୟୋଜିତ ହେଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବସର ସୁବିଧା କରାଯାଇଛି।
ଶନିବାର ଅପରାହ୍ନ ୪ଟାରେ ଖଣ୍ଡଗିରି, ସାଢେ୪ଟାରେ କଳିଙ୍ଗଷ୍ଟାଡିୟମ୍ ଏବଂ ୫ଟାରେ କଳ୍ପନାରୁ ବସ୍ କୋଣାର୍କ ଅଭିମୁଖେ ବାହାରିବ। ପର୍ଯ୍ୟଟକମାନେ ବିଭିନ୍ନ ୱାଟର ସ୍ପୋର୍ଟସର ଉପଭୋଗ କରିପାରିବେ। ଏହି ଇକୋ ରିଟ୍ରିଟ୍ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କଠାରୁ ଭଲ ପ୍ରତିକ୍ରିୟା ଆସିଛି। ଏବେସୁଦ୍ଧା ୨୨ଶହ ୫୦ରୁମ୍ ରୁ ୧ହଜାର୫୦ରୁ ଉଦ୍ଧ୍ୱର୍ ରୁମ୍ ପାଇଁ ବୁକିଂ ହୋଇଛି। ୪୯ଦିନର ଉତ୍ସବ ପାଇଁ ୪୫ପ୍ରତିଶତରୁ ଅଧିକ ବୁକିଂ ଶେଷ ହୋଇସାରିଛି।