ମାର୍କ ଜାଲିଆତି ମାମଲା: ନୋଟିସ୍ ଜାରି କଲେ ଓଏସସିପିସିଆର୍

  • ଭୁବନେଶ୍ୱର: ମାର୍କ ଜାଲିଆତି କରି ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଅଭିଯୋଗରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସସିପିସିଆର୍) କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନାସନାଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନ। ଆସନ୍ତା ୧୬ତାରିଖ ସାଢ଼େ ୩ଟାରେ ସ୍କୁଲର ଚେୟାରମ୍ୟାନ୍, ପ୍ରିନ୍ସିପାଲଙ୍କ ସମେତ ସିବିଏସଇର ଆଞ୍ଚଳିକ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଗତ ୨ ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ନିଜ ଓକିଲଙ୍କୁ ପଠାଇଥିଲେ। ହେଲେ ସିବିଏସଇ ଓ ଖୋର୍ଦ୍ଧା ଡିଇଓ କୌଣସି କାରଣରୁ ହାଜର ହୋଇନଥିଲେ। ଆସନ୍ତା ୧୬ ତାରିଖରେ ନିର୍ଦ୍ଧାରିତ ସମୟରେ ବ୍ୟକ୍ତିଗତଭାବେ ଏହି ୪ ଜଣ କମିଶନଙ୍କ କୋର୍ଟରେ ହାଜର ହେବେ। ନହେଲେ ସେମାନଙ୍କୁ ହାଜର କରାଇବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା। କେବଳ ଏହି ଗୋଟିଏ ସ୍କୁଲ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଏକାଧିକ ବିଦ୍ୟାଳୟରୁ ସମାନ ଅଭିଯୋଗ ଆସିଛି। ସେଗୁଡିକୁ କମିଶନ ତଦନ୍ତ ପରିସରଭୁକ୍ତ କରିଥିବା ସେ ସୂଚନା ଦେଇଛନ୍ତି।