ଖାଉଟିଙ୍କୁ ପିଆଜ ଯୋଗାଇବେ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା କାରଣରୁ ସାଧାରଣ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି । ସୁଲଭ ଦୋକାନ ଓ ମୈତ୍ରୀ ଦୋକାନ ଖୋଲି ବିନା ଲାଭ କ୍ଷତିରେ କିଣା ଦରରେ ପିଆଜ ଯୋଗାଇ ଦେବାକୁ କୁହାଯାଇଛି ।

ବର୍ତମାନ କିଲୋପିଛା ୫୨ ଟଙ୍କାରୁ ୭୦ ଟଙ୍କାରେ ବିଭିନ୍ନ ମାର୍କେଟରେ ବିକ୍ରି ହେଉଛି । କ୍ୱିଂଟାଲ ପିଛା ୪ ହଜାର ୮୦୦ ରୁ ୬ ହଜାର ୨୦୦ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଛି । ପିଆଜ ଉତ୍ପାଦିତ ରାଜ୍ୟ ମାନଙ୍କରେ ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରବଳ ବର୍ଷା ହେବା ଫଳରେ ଖରିଫ ପିଆଜ ନଷ୍ଟ ହୋଇଯାଇଛି ।

ଏହା ବ୍ୟତୀତ ମହାରାଷ୍ଟ୍ରରେ ଏହି ବର୍ଷା ଯୋଗୁଁ ପିଆଜ ବିଳମ୍ବରେ ଲଗାଯାଇଛି । ଅମଳ କରିବା ପାଇଁ ଡେରି ହେବ । ଏହି ସୁଯୋଗ ନେଇ ବ୍ୟବସାୟୀ ମାନେ ନିଜର ଆର୍ଥିକ ଫାଇଦା ଉଠାଇବା ଲାଗି ମହଜୁଦ ରଖିଦେଉଛନ୍ତି । ତାହା ବଜାରକୁ ଛାଡ଼ୁ ନାହାଁନ୍ତି । ଯାହ ଫଳରେ ଦର ଅଧିକ ହେଉଛି । କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ନିୟମିତ ଭାବରେ ପିଆଜ ଦର ସମ୍ପର୍କରେ ଜିଲ୍ଲାପାଳ ମାନଙ୍କୁ ଜଣାଇବାକୁ କୁହାଯାଇଛି ।