ଘନିଭୂତ ହେଉଛି ଆଉ ଏକ ଲଘୁଚାପ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଏଥିରେ ମାଲକାନଗିରି, ଢେଙ୍କାନାଳ ଏବଂ ବାଲେଶ୍ୱର ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଘନିଭୂତ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗାଙ୍ଗେଟିକ ପଶ୍ଚିମବଙ୍ଗକୁ ଲାଗିଥିବା ଝାଡଖଣ୍ଡ ଏବଂ ଉତ୍ତର ଓଡ଼ିଶା ଅଞ୍ଚଳରେ ଲଘୁଚାପ ବର୍ତ୍ତମାନ ଦୁର୍ବଳ ହୋଇ ବର୍ତ୍ତମାନ ଦକ୍ଷିଣ ଝାଡଖଣ୍ଡ ଏବଂ ପଡୋଶୀ ରାଜ୍ୟ ଉପରେ ଅବସ୍ଥିତ ହୋଇଛି। ଫଳରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରୁ ଏକ ମୌସୁମୀ ଟ୍ରଫ୍ ଲୋ-ପେସର ଓଡ଼ିଶାର ମଧ୍ୟଭାଗ ଦେଇ ଅତିକ୍ରମ କରୁଛି। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହିତ ସମୁଦ୍ର ଭିତରକୁ ଯିବାପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।