ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ। ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୋଟିଏ ମଞ୍ଚରେ ଯୁବ, ପ୍ରତିଭା ଓ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେସିତ ଓଡ଼ିଶୀ ନୃତ୍ୟକୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ। ପ୍ରଥମେ ସସ୍ମିତା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟ ଅଭିନୟ ଭଗବତୀ ଅଷ୍ଟକମ୍ – ଜୟ ଭଗବତୀ ଦେବୀ ନମୋ ବରଦେ ପରେ ପରେ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ ଧ୍ୟାୟେତ୍ ସୁବର୍ଣ୍ଣ ବର୍ଣ୍ଣାଭ୍ୟା ତ୍ରିନେତ୍ରୀ ଚାରୁ ଭାସିନୀ ପରିବଶେଣ ହୋଇଥିଲା । ତା ପରେ ଅନୁଜା ପଦବେଙ୍କ ଦ୍ୱାରା ପଲ୍ଲବୀ, ପ୍ରୀୟବ୍ରତ ପଲ୍ଲାଇଙ୍କ ଦ୍ୱାରା ରାଗ ବସନ୍ତ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେସିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ମୃତ୍ୟୁଞ୍ଜୟ ବାସଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି ପରେ ପରେ ଅଙ୍କିତା ବେହେରାଙ୍କ ଦ୍ୱାରା ଅଭିନୟ କିଏ ଲୋ ସଜନୀ କେଳି କଦମ୍ବ ମୂଳେ ପରିବେସିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସିନ୍ଧୁ ବ୍ରାଉନଙ୍କ ଦ୍ୱାରା ପଲ୍ଲବୀ ଯାହା ରାଗ ସାବେରୀ ଓ ତାଳ ଏକତାଳୀରେ ନିବଦ୍ଧ ଥିଲା ପରେ ପରେ ପ୍ରଶାନ୍ତ କୁମାର ଭାଇନାଙ୍କ ଦ୍ୱାରା ଅଭିନୟ ଗଣେଶ ବନ୍ଦନା, ବର୍ଷା ପ୍ରିୟଦର୍ଶନୀ ଷଡ଼ଙ୍ଗୀଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ ଶିବ ତାଣ୍ଡବ, ସୁଦେଶ୍ନା ଦତ୍ତଙ୍କ ଦ୍ୱାରା ଅଷ୍ଟପଦୀ ଏବଂ ଦତଗତ ନୃତ୍ୟ ପର୍ଯ୍ୟାୟରେ ଅଳକା ସାହୁ ଓ ସାଥୀଙ୍କ ଦ୍ୱାରା ଅଭିନୟ ମଙ୍ଗଳା ଚରଣ ଶିବସ୍ତୁତି ଓ ନମୋସ୍ତେଷୁ ବିଶ୍ୱେଶ୍ୱରାୟ ପରିବେଶଣରେ ପୂର୍ବାହ୍ନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୪ ଘଟିକାରୁ। ପ୍ରଥମେ ନୃତ୍ୟାଳୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଅଭିନୟ ନିଳାଦ୍ରୀ ନାଥ ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଶୁଭାଙ୍ଗିନୀ ମଲ୍ଲିକ୍ଙ୍କ ଦ୍ୱାରା ଦେଖ ଗୋ ରାଧା ମାଧବ ଚାଲି, ଅନୁଷା ଜୈନଙ୍କ ଦ୍ୱାରା ପଲ୍ଲବୀ, ଗୀତିକା ପାତ୍ରଙ୍କ ଦ୍ୱାରା ଅଭିନୟ ବଜ୍ରକାନ୍ତି ପଲ୍ଲବୀ, ବର୍ଷା ଦାସଙ୍ଗ ଦ୍ୱାରା ଅଭିନୟ ଶ୍ରୀଅଙ୍ଗ ଚରଣ, ଆଲିଶା ଶିରୋଙ୍କ ଦ୍ୱାରା ଅଭିନୟ (ଚମ୍ପୁ) ଲୀଳା ନିଧି ହେ ଲାଜେ ମୁ ଗଲିଟି ମରି, ସୁଚିସ୍ମିତା ସାହୁଙ୍କ ଦ୍ୱାରା ଅଭିନୟ ଦେଖିବ ପରା ଆସରେ ପ୍ରାଣ ସଙ୍ଗିନୀ ଶ୍ରୀ ବଂଶୀଧର ବେଶକୁ ଓ ସମ୍ୟ ସୁଚରିତା ପାଲଙ୍କ ଦ୍ୱାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀହରି ପରିବେସିତ ହୋଇଥିଲା। ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଶୁଭାଙ୍ଗିନୀ ସ୍ୱାଇଁ ଓ ଅସ୍ମିତା ଦାସଙ୍କ ଦ୍ୱାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀହରୀ କୁଞ୍ଜେ ବିହରି ଏବଂ ସୁସ୍ମିତା ରାୟ ଓ ମୌମିତା ରାୟଙ୍କ ଦ୍ୱାରା ବଲ୍ଲବୀ ପରିବେସିତ ହୋଇଥିଲା। ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଓଡ଼ିଶୀ ଡ଼୍ୟାନ୍ସ କ୍ରୀୟସନ୍ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନୃତ୍ୟ ମଞ୍ଜରୀ ପରିବେସିତ ହୋଇଥିଲା।
ସଂଧ୍ୟା ଅଧିବେସନର ପ୍ରଥମ ପ୍ରସ୍ତୁତି ଥିଲା ଜାହ୍ନବୀ ବେହେରାଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ ଗଣେଶ ବନ୍ଦନା-ଗଉରୀ ନନ୍ଦନ ବିଘ୍ନ ବିନାଶନ ପରେ ପରେ ସୁମନଜିତ୍ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି-ମଧୁବନ ଏବଂ ଶ୍ରୀରାଧା ପଲଙ୍କ ଦ୍ୱାରା ଅଭିନୟ ମୋହନ ମୁରତୀ ଛଇଲୋ ଯାହା ରାଗ ଭୈରବୀ ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା। ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଐଶାନୀ ଭଟ୍ଟାଚାର୍ଯ୍ୟ ଓ ପ୍ରଚେତା ରାୟଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଗଣେଶ ବନ୍ଦନା-ଗଉରୀ ନନ୍ଦନ ବିଘ୍ନ ବିନାଶନ ପରେ ପରେ ରାଜେଶ ପଲ୍ଲାଇଙ୍କ ଦ୍ୱାରା ଅଭିନୟ ଆହେ ନୀଳ ଶଇଳ ପରିବେସିତ ହୋଇଥିଲା। ତାଙ୍କ ପରେ ଏକକ ପର୍ଯ୍ୟାୟରେ ପଦ୍ମଜା ପ୍ରୀୟମ୍ବଦା, ବ୍ରୀନ୍ଦା ଚଢା, ବିଜୟ କୁମାର ଦାଶ ନୃତ୍ୟ ପରିବେଶଶ କରିଥିଲେ। ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସନ୍ତୋଷ ରାମ ଓ ସମୀର କୁମାର ପାଣିଗ୍ରାହୀ ଓ ଶେଷରେ ଉତ୍କଳ ନୃତ୍ୟ ଓ ଗବେଷଣା ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଶଣ ହୋଇଥିଲା।
ସଂଧ୍ୟା ଅଧିବେଶନର ଅତିଥି ଥିଲେ ଗୁରୁ ତଥା ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ପ୍ରଫେସର ରାମହରି ଦାସ, ଆଇ.ସି.ସି.ଆର ନିର୍ଦ୍ଦେଶୀକା ମିନାକ୍ଷୀ ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ। ଏହି ନୃତ୍ୟ କାର୍ଯ୍ୟକ୍ରମଟି ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍ ଓ ୟୁଟ୍ୟୁବ ଚେନାଲରେ ଲାଇଭ୍ ଷ୍ଟ୍ରିମିଙ୍ଗ କରାଯାଉଥିଲା।