ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗୁରୁବାର ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିସାରିଛି। ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୂଳ ବାତାବରଣ ରହିଛି। ଏଥିପାଇଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ୧୧-୧୨ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗା ବିଶେଷଜ୍ଞମାନେ ମତ ଦେଇଥିଲେ। ଆକଳନ ଅନୁଯାୟୀ ଠିକ୍ ସମୟରେ ମୌସୁମୀ ପ୍ରବେଶ କରିଥିବା ଯୋଗୁଁ ଚାଷ କାର୍ଯ୍ୟ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି। ସେହିପରି ଚଳିତ ବର୍ଷ କେନ୍ଦ୍ରୀୟ ଭାରତ ସମେତ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ପ୍ରାୟ ୧୦୩ ମି.ମି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ ସାମ୍ବାଦିକ ସମ୍ମଳୀ କରି ଏ ସମ୍ପର୍କରେ ସୂଚନା ଦେବା ସହିତ ମୌସୁମୀ ଓ ଲଘୁଚାପର ମିଳିତ ପ୍ରଭାବର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି।