ହାଇଦ୍ରାବାଦରେ ଇନ୍‌ଭେଟର୍ସ ମିଟ୍‌: ନିବେଶକଙ୍କୁ ଭେଟୁଛନ୍ତି ମଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ନଭେମ୍ବରେ ହେବାକୁ ଥିବା ମେକ୍-ଇନ୍-ଓଡ଼ିଶା ସମ୍ମିଳନୀ ପୂର୍ବରୁ ହାଇଦ୍ରାବାଦରେ ସୋମବାର ଦିନ ଏକ ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶର ପ୍ରମୁଖ ଆଇଟି କମ୍ପାନୀମାନେ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ସ୍ଥାପନ କରିସାରିଛନ୍ତି । ଓଡ଼ିଶା ଷ୍ଟାର୍ଟଅପ୍‌ ବାତାବରଣକୁ ଉନ୍ନତ କରିବାରେ ଲାଗିଛି । ଆହୁରି ମଧ୍ୟ ମାନୁଫାକଚରିଂ ଉଦ୍ୟୋଗରେ ନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଆଗୁଆ ରହିଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଇଜ ଅଫ ଡୁଇଙ୍ଗ ବିଜନେସରେ ଓଡ଼ିଶା ଆଚିଭର୍ସ ମାନ୍ୟତା ହାସଲ କରିଛି ବୋଲି ସେ କହିଛନ୍ତି ।

ଶିଳ୍ପଜଗତ ପାଇଁ ସର୍ବଶ୍ରେଷ୍ଠ ବାତାବରଣ ଓ ପ୍ରେତ୍ସାହନ ଯୋଗାଇଦେବାରେ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ । ତାଙ୍କ ସରକାର ନିଜ କଥାକୁ କାମରେ ପରିଣତ କରେ ବୋଲି ସେ କହିଛନ୍ତି । ଓଡ଼ିଶାର ଅଭିବୃଦ୍ଧି କାହାଣୀ ଓ ନିବେଶକଙ୍କୁ ଓଡ଼ିଶା କ’ଣ ଦେବ ତାହାକୁ ଦର୍ଶାଇବାର ଏକ ମାଧ୍ୟମ ହେଉଛି ମେକ୍‌-ଇନ୍‌-ଓଡ଼ିଶା । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ କହିଛନ୍ତି ।