୧୦୦ ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡ଼ିଶାର ୧୦

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦେଶର ୧୦୦ ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡ଼ିଶାର ରହିଛି ୧୦ । ଏସବୁ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ଚାହିଦା ବିଶ୍ୱ ନିଯୁକ୍ତି ବଜାରରେ ବଢ଼ିଛି । ଭବିଷ୍ୟତରେ ବି ଅହୁରି ବଢ଼ିବ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ କହିଥିଲେ, ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଉକ୍ତ ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍ସ ମେକାନିକ୍ ଓ ଡ୍ରେସ୍ ମେକିଂ ପରି ୪ଟି ଟ୍ରେଡ୍‌ରେ ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡ଼ିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ୍ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଆଉ ଅଧିକ ଟ୍ରେଡ୍‌ରେ ତାଲିମ ଦେବାର ବ୍ୟବସ୍ଥା କରାଯିବ । ଏଥିରେ ଆଧୁନିକ ଲାବୋରେଟୋରୀ, ୱାର୍କସପ୍‌, ହଷ୍ଟେଲ୍ ଆଦି ସମସ୍ତ ସୁବିଧା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବକଯୁବତୀଙ୍କର ଆବଶ୍ୟକତା ମଧ୍ୟ ରହିଛି । ଓଡ଼ିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାଙ୍କର ଦକ୍ଷତା ବୃଦ୍ଧି ପାଇଁ ୫-ଟି କାର୍ଯ୍ୟକ୍ରମକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ବିଶ୍ୱ ନିଯୁକ୍ତି ବଜାରରେ ଓଡ଼ିଶାର ପିଲାଙ୍କର ଚାହିଦା ସବୁଠାରୁ ଅଧିକ ହେବ ।

ଓଡ଼ିିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ଶହେଟି ମଧ୍ୟରେ ଓଡ଼ିିଶାର ୧୦ଟି ଆଇଟିଆଇ ସ୍ଥାନ ପାଇଛନ୍ତି । ଏହା ଏକ ଗୌରବର କଥା । ଓଡ଼ିିଶାର ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗୀତାରେ ଉନ୍ନତ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଆଣୁଛନ୍ତି । ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା କହିଥିଲେ, କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ଟି ପଞ୍ଚାୟତର ଏକ ଦୁର୍ଗମ ଅଞ୍ଚଳ । ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପନ ନେଇଛନ୍ତି । ଆଇଟିଆଇ ସ୍ଥାପନ ଦ୍ୱାରା ଏହି ଅଞ୍ଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ ଯେ ରାଜ୍ୟରେ ‘ଗ୍ରୀନ କ୍ୟାମ୍ପସ’ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଆଇଟିଆଇ କ୍ୟାମ୍ପସ୍‌ରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବାକୁ ହେବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ ଭାଷଣ ଦେଇଥିଲାବେଳେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।