ହୋମଗାର୍ଡ଼ଙ୍କ ପାଇଁ ଖୁସି ଖବର : ଦରମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡ଼ିଶାର ହୋମଗାର୍ଡ଼ମାନଙ୍କ ପାଇଁ ଶୁକ୍ରବାର ଖୁସି ଖବର ଆଣିଛନ୍ତି ଓଡ଼ିଶା ହାଇକୋର୍ଟ । ହୋମଗାର୍ଡ଼ଙ୍କ ମାନ୍ୟତା ବଢାଇବା ସହ ଦରମା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଦୈନିକ ୫ଶହ ଦେବାକୁ ନିର୍ଦେଶ ଦେଇଥିବା ବେଳେ ମାସକ ମଧ୍ୟରେ ଏହାକୁ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ରେ ହୋମଗାର୍ଡ଼ଙ୍କୁ ନେଇ ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଥିଲେ । ସର୍ବନିମ୍ନ ପୁଲିସ କର୍ମଚାରୀଙ୍କ ଦରମାର ତତୁଲ୍ୟ ଦେବାକୁ କହିଥିଲେ । ଏହା ମଧ୍ୟରେ ୮ଟି ରାଜ୍ୟରେ ଲାଗୁ ହୋଇସାରିଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇନଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହୋମଗାର୍ଡ଼ ହାଇକୋର୍ଟ ଯାଇଥିଲେ ।