ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧିକୁ ରୋକିବାପାଇଁ ଯୋଗାଣ ବିଭାଗର ତତ୍ପରତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦେଖାଦେଇଥିବା ପିଆଜ ଓ ଆଳୁର ଅହେତୁକ ଦରବୃଦ୍ଧିକୁ ରୋକିବାପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଦର ନିୟନ୍ତ୍ରଣ ଜନିତ ପଦକ୍ଷେପ ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଭୁବନେଶ୍ୱରରେ ହୋଲସେଲର ମାନେ ୧୦୦୦ କ୍ୱିଣ୍ଟାଲ ଆଳୁ ଏବଂ ୨୫୦ କ୍ୱିଣ୍ଟାଲ ପିଆଜ ରଖି ପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ହୋଲସେଲରମାନେ ୫୦୦ କ୍ୱିଣ୍ଟାଲ ଆଳୁ ଏବଂ ୨୫୦ କ୍ୱିଣ୍ଟାଲ ପିଆଜ ରଖିପାରିବେ।

ଅନ୍ୟାନ୍ୟ ସ୍ଥାନରେ ୩୦୦ କ୍ୱିଣ୍ଟାଲ ଆଳୁ ଓ ୧୫୦ କ୍ୱିଣ୍ଟାଲ ପିଆଜ ବ୍ୟବସାୟୀମାନେ ରଖିପାରିବେ। ଏହା ବ୍ୟତୀତ ଉପରୋକ୍ତ ୪ଟି ସହରରେ ଖୁଚୁରା ବେପାରୀମାନେ ୪୦ କ୍ୱିଣ୍ଟାଲ ଆଳୁ ଏବଂ ୨୦ କ୍ୱିଣ୍ଟାଲ ପିଆଜ ରଖିପାରିବେ। ଅନ୍ୟାନ୍ୟ ସହରରେ ୧୫ କ୍ୱିଣ୍ଟାଲ ଆଳୁ ଏବଂ ୮ କ୍ୱିଣ୍ଟାଲ ପିଆଜ ରଖିପାରିବେ। ଏହାସହିତ ସଂଶୋଧିତ ଯୋଗାଣ ଷ୍ଟୋରେଜ ଆଇନ ବ୍ୟବସ୍ଥା ଅନୁଯାୟୀ ନିୟମିତ ଭାବରେ ଚଢ଼ାଉ କରିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟଯେ, ଗତ ଏକ ମାସ ଧରି ପିଆଜ ଦର ଅହେତୁକ ଭାବେ ବଢିଚାଲିଥିବା ବେଳେ ଗତ ଏକ ସପ୍ତାହ ହେଲା କିଛି ମାତ୍ରରେ ହ୍ରାସ ପାଇଥିଲା। ଏବେ ପୁଣି ଥର ପିଆଜ ଦର ବଢୁଥିବାରୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ସେହିପରି ପିଆଜ ପରେ ଏବେ ଆଳୁଦର ମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ବଜାରରେ ଆଳୁ ୩୦ ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସୂଚନାଯୋଗ୍ୟ ଯେ, ଗତ ଦୁଇମାସ ଧରି ପିଆଜ ଦର ଖାଉଟିଙ୍କ ମନରେ ଛନକା ଭରିଥିବା ବେଳେ ଦରରେ ଗତ ସପ୍ତାହରେ ସାମାନ୍ୟ ହ୍ରାସ ଦେଖାଦେଇଥିଲା।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜର ପାଇକାରୀ ଦର ୬୦ରୁ ୬୫ ଟଙ୍କା ଏବଂ ଖୁଚୁରା ବ୍ୟବସାୟୀମାନେ ଏହାକୁ ୭୦ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି କରିଥିଲେ। ତେବେ ଗତ ମଙ୍ଗଳବାରଠାରୁ ପିଆଜ ଦରରେ ପୁଣି ଅଚାନକ ବୃଦ୍ଧି ଦେଖାଦେବା ସହ କିଲୋ ପ୍ରତି ୧୨୦ରୁ ୧୩୦ ଟଙ୍କାରେ ପହଞ୍ଚିଛି।