ମାଷ୍ଟର ସେଫ୍ ହେଲେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖାଦ୍ୟଭିତ୍ତିକ ରିୟାଲିଟି ଶୋ’ ମାଷ୍ଟର ସେଫ୍ ସିଜିନ୍ ୬ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ୨୭ ବର୍ଷୀୟ ଅବିନାଶ ବ୍ରହ୍ମପୁରର ବାସିନ୍ଦା। ମାଷ୍ଟର ସେଫ୍ରେ ଭାଗ ନେଇ ଟାଇଟଲ୍ ହାସଲ କରିବାରେ ସେ ହେଲେ ପ୍ରଥମ ଓଡ଼ିଆ। ତାଙ୍କୁ ଚଳିତ ସିଜିନ୍ର ଟାଇଟଲ୍ ବାବଦକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଚଳିତ ମାଷ୍ଟର ସେଫ୍ ସିଜିନ୍ରେ ସେ ଚିକେନ୍ ବେସର, ପଖାଳ ଓ ପାନପତ୍ରରେ ଚିକେନ୍ ଭଳି ନିଆରା ଖାଦ୍ୟ ପ୍ରସ୍ତୁତ କରି ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲେ।

ଶ୍ରୀ ନାୟକ ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟ୍ରିଗାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରୁ ନିଜ ବିଦ୍ୟାଳୟଗତ ଶିକ୍ଷା ଶେଷ କରିଛନ୍ତି। ଏହାପରେ ସେ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଡ୍ଭାନ୍ସମେଣ୍ଟରେ ନିଜର ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏବେ ସେ ପେଶାରେ ଜଣେ ସିଷ୍ଟମ ଇଞ୍ଜିନିୟର। ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ଅବିନାଶ ମାଷ୍ଟର ସେଫର ଲୋକିକୁଲ୍ ଫେଲୋଶିପ୍ ପାଇଥିଲେ। ଫେଲୋସିପ୍ ବାବଦକୁ ତାଙ୍କୁ ୫ହଜାର ଡଲାର ମିଳିଥିଲା।