ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୩ଜଣ ସଦସ୍ୟ ଏବଂ ଜଣେ ସଚିବ ସଦସ୍ୟ ରହିଛନ୍ତି। ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସଦସ୍ୟ ଭାବେ ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସଚିବ ସଦସ୍ୟ ଭାବେ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି।
ରାଜ୍ୟରେ ଓବିସି ଗଠନ ଲାଗି ଦୀର୍ଘଦିନ ହେବ ବିଭିନ୍ନ ମହଲରେ ଦାବି ହେଉଥିଲା। ଏମିତିକି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କମିଶନ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଥିଲା। ଗତ ୧୧ରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କମିଶନ ଅଧ୍ୟକ୍ଷ ଭଗବାନଲାଲ ସାହାନୀଙ୍କ ସମେତ ୫ଜଣିଆ ଟିମ୍ ।ଏହି ଅବସରରେ ଓଡିଶାରେ ଓବିସି କମିଶନ ପ୍ରତିଷ୍ଠା ଦାବିରେ ସାମାଜିକ ନ୍ୟାୟ ସାମ୍ମୁଖ୍ୟ ପକ୍ଷରୁ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ପଛୁଆବର୍ଗ କମିଶନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।