ଟ୍ୱିନସିଟିରେ ମର୍ଣ୍ଣିୱାକ, ସାଇକେଲିଂ ମନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାରା ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏଥିପାଇଁ ଚାରିଆଡ଼େ ଲକଡାଉନ ଓ ସଟଡାଉନ ଲାଗୁ ହୋଇଛି। ଆଉ ଏହି ତାଲାବନ୍ଦକୁ ସଫଳ କରାଇବା ପାଇଁ ରାଜ୍ୟ ପୁଲିସ ପ୍ରମୁଖ ଭୂମିକା ନିଭାଉଛି। କରୋନା ଭୂତାଣୁକୁ ପୁଲିସ ଭୟ ନକରି ରାସ୍ତାରେ ଅମାନିଆଙ୍କୁ ସାବାଡ୍ କରୁଛି। ଏହାରି ଭିତରେ ଅମାନିଆଙ୍କ ଉତ୍ପାତ ଆହୁରି ବଢ଼ିଯାଇଛି। କଟକଣା କୋହଳର ଫାଇଦା ଉଠାଇ ସଂକ୍ରମଣ ଚେନକୁ ଭାଙ୍ଗିବାରେ ବାଧା ଦେଉଛନ୍ତି।

ବିଶେଷକରି ଟ୍ୱିନସିଟି ଭୁବନେଶ୍ୱର-କଟକରେ ମର୍ଣ୍ଣିୱାକ୍ କରିବା ବାହାନାରେ ଲୋକମାନେ ରାସ୍ତାକୁ ଆସୁଛନ୍ତି। ଯାହାଦ୍ୱାରା ରାସ୍ତାରେ ଗହଳି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ୱିନ ସିଟିରେ ମର୍ଣ୍ଣିୱାକ୍, ସାଇକେଲିଂ ଓ ଇଭିନିଂୱାକକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ଯଦି କେହି ଏହି ନିୟମକୁ ବେଖାତିର କରି ବାହାରକୁ ଆସିବେ, ତା’ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ରାଜ୍ୟ ପୁଲିସର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ୧୫୯ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି କୋଭିଡ୍ ହସ୍ପିଟାଲରେ ମୁତୟନ ହୋଇଥିବାବେଳେ ଅନ୍ୟମାନେ ଛକ ଛକରେ ରହି ଚେକିଂ କରୁଛନ୍ତି। ଏହାସହ ଟିକାକରଣ ମଧ୍ୟ ଜୋର୍ଦାର ଚାଲିଛି। ବିନା ସ୍ଲଟରେ କେହି ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ଶ୍ରୀ ଜେଠୱା ଅନୁରୋଧ କରିଛନ୍ତି। ଗତ ୧୫ଦିନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ସାରା ରାଜ୍ୟରୁ ୨କୋଟି ୮୦ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। ୭୧ଟି ମାମଲାରେ ୨୬୯ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୮୩୦୦ଟି ଦୁଇଚକିଆ ଓ ତିନିଚକିଆ ଯାନ ଜବତ ହୋଇଛି। ଅନ୍ୟପକ୍ଷରେ କୋଭିଡ୍ ଔଷଧ କଳାବଜାରୀ ରୋକିବା ନେଇ ଚଢ଼ାଉ ଜାରି ରହିଛି। ୨୨ଟି ଫ୍ଲାଇଂସ୍କ୍ୱାଡ୍ ସାରା ରାଜ୍ୟରେ ଚଢ଼ଉ କରୁଛନ୍ତି। ଏଥିରେ ଡ୍ରଗ୍ସ ଇନ୍ସିପେକ୍ଟର, ଏସଟିଏଫ୍ ଓ ପୁଲିସ ସାମିଲ ରହିଛନ୍ତି। ଯଦି କୌଣସି ଘରୋଇ ହସ୍ପିଟାଲ ବେଆଇନ ଭାବେ ରୋଗୀଙ୍କ ଠାରୁ ଅଧିକ ଟଙ୍କା ଦାବି କରେ, ତା’ହେଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର ଡିସିପି ଡ଼.ଉମାଶଙ୍କର ଦାଶ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।