ଡିଏଭି ପୋଖରୀପୁଟରେ “ନେତାଜୀ ଓ ବୀର ସୁରେନ୍ଦ୍ର ସାଏ” ଜୟନ୍ତୀ ପାଳିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିଏଭି ପୋଖରୀପୁଟରେ ଦୁଇ ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ବେଦମନ୍ତ୍ର ପରେ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ପ୍ରଦୀପ ପ୍ରଜ୍ଜ୍ବଳନ ପରେ ଦୁଇ ମହାନ୍‍ ଜନନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ନିଜର ଅଭିଭାଷଣରେ ସେମାନଙ୍କ ତ୍ୟାଗ, ଦେଶଭକ୍ତି, ଆତ୍ମବଳିଦାନ ନିଜର ସ୍ମୃତିପଟରେ ରଖି ତାଙ୍କ ଆଦର୍ଶରେ ଅନୁଗାମୀ ହେବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ସରଳ ଜୀବନ ଯାପନ ତଥା ଦୃଢ଼ ଆତ୍ମବିଶ୍ୱାସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରୀ ଦିବ୍ୟାଂଶୀ ମହାନ୍ତି ନେତାଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ଛାତ୍ରୀ ଅର୍ଚ୍ଚନା ମିଶ୍ର ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଉଭୟ ସଂଗ୍ରାମୀଙ୍କ ଉପରେ ଆଧାରିତ ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ୪ ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ରର ପ୍ରତିଭାଧାରୀ ବିଦ୍ୟାର୍ଥୀ ଅଂଶଗ୍ରହଣ  କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁଲଳିତ କଣ୍ଠର ସମୂହ ଗାନ ଓ ଚିତ୍ତାକର୍ଷକ ନୃତ୍ୟାଭିନୟକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।