ବାଗଚୀ ଶ୍ରୀ ଶଙ୍କରା କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ କେୟାର ସେଣ୍ଟରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରଥଯାତ୍ରାର ଶୁଭଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗଚୀ ଶ୍ରୀ ଶଙ୍କରା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟରର ଶିଳାନ୍ୟାସ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରର ଇନଫୋସିଟି-୨ ଅଞ୍ଚଳରେ ୨୫ ଏକର ଜମି ପ୍ରଦାନ କରାଯାଇଛି।

ଏହି କ୍ୟାନସର ହସ୍ପିଟାଲ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖାଯାଇଛି। ଏଥିରେ ଅତ୍ୟାଧୁନିକ ମେଡ଼ିକାଲ ସୁବିଧା ସହିତ ୭୫୦ ବେଡ ରହିବ। ସେହିପରି ବାଗଚୀ କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର ରୋଗୀଙ୍କର ଯତ୍ନ ନେବ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସସ୍ମିତା ବାଗଚୀ ଏହ ୨ଟି ହସ୍ପିଟାଲ ନିିର୍ମାଣ ପାଇଁ ୩୪୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିବା ସହିତ ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ମୁଁ ନିଶ୍ଚିତ ଯେ ଏହି କେନ୍ଦ୍ର ଏକ ଅଗ୍ରଣୀ ଅନୁସନ୍ଧାନ ପ୍ରତିଷ୍ଠାନ ହେବ ଏବଂ ବିଶ୍ୱର ଅଙ୍କୋଲୋଜିଷ୍ଟମାନଙ୍କୁ ଆକର୍ଷିତ କରିବ ଓ ମାନବିକତାର ସେବା କରିବ। ବିଶ୍ୱ ସ୍ତରର ପାଲିଏଟିଭ କେୟାର ସେଣ୍ଟରରେ ବିନା ମୂଲ୍ୟରେ ହୃଦୟସ୍ପର୍ଶୀ ସେବା ଯୋଗାଇ ଦିଆଯିବ। ମୁଁ ନିଶ୍ଚିତ ଯେ ଉଭୟ ଅନୁଷ୍ଠାନ ଓଡିଶାର ରୋଗୀଙ୍କୁ ବିଶେଷ ଭାବରେ ଗରିବ ଲୋକଙ୍କ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପାଇବାରେ ସାହାଯ୍ୟ କରିବ। ଏହି ଅନୁଷ୍ଠାନଗୁଡ଼ିକର ଶୀଘ୍ର ସମାପ୍ତି ପାଇଁ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।