ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଅନେକ ଓଡ଼ିଆ ବାହାର ରାଜ୍ୟରେ ଫସିରହିଛନ୍ତି। ତେବେ ସେମାନଙ୍କୁ ସେଠାରୁ ଫେରାଇ ଆଣିବାର କୌଣସି ସୁବିଧା ନଥିବାରୁ ସେଠାରେ ସେମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆ ସଂଗଠନ ମାନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଏକ ଭିଡ଼ିଓ ଜାରି କରିଛନ୍ତି।
ଉକ୍ତ ଭିଡ଼ିଓରେ ଅନ୍ୟ ରାଜ୍ୟ ମାନଙ୍କରେ ଫସିରହିଥିବା ଓଡ଼ିଆଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥିସହ ଏ ବାବଦରେ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭରଣ କରାଯିବ ବୋଲି କହିଛନ୍ତି। ତେଣୁ ଏଥିରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।