ନବୀନ-ମମତାଙ୍କ ଭେଟଘାଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ୨ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସାକ୍ଷାତ ପରେ ଉଭୟ ନେତା ଗଣମାଧ୍ୟମକୁ ମଧ୍ୟ ସମ୍ବୋଧନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମମତା ଜୀ କିଛିଦିନ ପୁରୀରେ ବିତାଇଥିବାରୁ ମୋତେ ଖୁସି ଲାଗୁଛି । ଆଜି ଏକ ସିଷ୍ଟାଚାର ଭେଟ ହୋଇଛି ଯେଉଁଥିରେ ଆମେ ରାଜନୀତି ସମ୍ବନ୍ଧରେ କୌଣସି ଆଲୋଚନା କରିନାହୁଁ । ତେବେ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଏବଂ ସୁଦୃଢ଼ ହେବା ଦରକାର ।

ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ନବୀନ ଜୀ ଜଣେ ସୁଦୃଢ଼ ନେତା । ମୋର ଗସ୍ତ ସମୟରେ ମୋତେ ସବୁ ପ୍ରକାର ପ୍ରେଟୋକଲ ପ୍ରଦାନ କରାଯାଇଛି । ଏଠାକାର ଅଧିକାରୀମାନେ ବହୁତ ଭଲ ଏବଂ ସେମାନେ ମୋତେ ଭଲ ଆତିଥ୍ୟ ପ୍ରଦାନ କରିଛନ୍ତି । ପୂଜାଠାରୁ ଆରମ୍ଭ କରି ରହିବା ଓ ବୈଠକ ସବୁକିଛି ବେଶ୍ ଭଲ ଥିଲା । ମୁଁ ଦିଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିବା କଥା ନବୀନ ଜୀଙ୍କୁ କହିଛି । ଆଉ ନବୀନ ଜୀଙ୍କୁ ବେଙ୍ଗଲ ମଧ୍ୟ ନିମନ୍ତ୍ରଣ କରୁଛି । ଓଡ଼ିଶା ଓ ପଶ୍ଚିମବଙ୍ଗର ମଧ୍ୟରେ ଏମିତି ସମ୍ପର୍କ ରହିଛି ଯେ, ଏଠାରେ ବାତ୍ୟା ଆସିଲେ ସେଠାରେ ବି ଆସେ, ଏଠାରେ ବାତ୍ୟା ଯୋଗୁ ବିଜୁଳି ଗଲେ ସେଠାରେ ମଧ୍ୟ ଚାଲିଯାଏ । କିନ୍ତୁ ଆମେ ୨ ରାଜ୍ୟ ଏକ ଭଲ ସମ୍ପର୍କ ସ୍ଥାପନ କରିଛୁ । ପୁରୀରେ ପଶ୍ଚିମବଙ୍ଗ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ୨ ଏକର ଜାଗା ପ୍ରଦାନ କରିଛନ୍ତି । ବେଙ୍ଗଲ ଓ ଓଡ଼ିଶା ମଧ୍ୟରେ ଇଣ୍ଡଷ୍ଟ୍ରିଆଲ କରିଡର ହେବାର ଆବଶ୍ୟକତା ରହିଛି । ଆମ ପାଖରେ ଲୁହାପଥର ନଥିବାବେଳେ ଓଡ଼ିଶା ପାଖରେ ପ୍ରଚୁର ଲୁହା ପଥର ରହିଛି । ଆମକୁ ଲୁହା ପଥର ଯୋଗାଣ କଲେ ଶିଳ୍ପ କ୍ଷେତ୍ରରେ ବିକାଶ ହୁଅନ୍ତା । ଏନେଇ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ଜରୁରୀ ।