ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ବିଧାନସଭାରେ ବର୍ଷିଲେ ନରସିଂହ

ଯୁବତୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୟୁପି ଆଜି ଜଳୁଛି, ଓଡ଼ିଶାରେ ନିଆଁ ଜଳିବାକୁ ବାକି ନାହିଁ ବୋଲି ସେ କହିଛନ୍ତି ।
ଶୂନ୍ୟକାଳରେ ପ୍ରସଙ୍ଗକୁ ଉତ୍ଥାପନ କରି ଶ୍ରୀ ମିଶ୍ର କହିଲେ ଯେ ମହିଳା ଉତ୍ପୀଡ଼ନରେ ଏନ୍‌ସିଆର୍‌ବିର ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ୧ ନମ୍ବରରେ ଥିବା ବେଳେ ଓଡ଼ିଶା ୨ ନମ୍ବରରେ ରହିଛି । ତେବେ ଲୋକସଂଖ୍ୟାକୁ ଯଦି ବିଚାରକୁ ନିଆଯାଏ, ତେବେ ଓଡ଼ିଶା ଉପରେ ରହିବ । କାରଣ ୟୁପିର ଲୋକସଂଖ୍ୟା ଓଡ଼ିଶାଠାରୁ ୫ ଗୁଣ ଅଧିକ । ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନର କଥା କହୁଥିବା ବେଳେ ତାହା ବାସ୍ତବ କ୍ଷେତ୍ରରେ କିନ୍ତୁ ପରିଲକ୍ଷିତ ହେଉନାହିଁ । ସେହିପରି ଏକ ଓଡ଼ିଆ ଖବରକାଗଜରେ ପ୍ରକାଶିତ ଏକ ତଥ୍ୟକୁ ଉଦ୍ଧୃତ କରି ନରସିଂହ କହିଲେ ଯେ ସାଇବର ଅପରାଧରେ ସମଗ୍ର ଦେଶରେ ମୋଟ ୧୬୨୧ଟି ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶାରେ ସର୍ବାଧିକ ୩୯୦ଟି ମମାଲା ରୁଜୁ ହୋଇଛି । ମହିଳାଙ୍କୁ ଉଲଗ୍ନ ଓ ଆକ୍ରମଣ ଘଟଣାରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହା କ’ଣ ଓଡ଼ିଶା ପାଇଁ ଲଜ୍ଜା ନୁହେଁକି ବୋଲି ପ୍ରଶ୍ନ କରିଥିଲେ । ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ବୋଲି ସେ ଆକ୍ଷେପ କରିଥିଲେ ।

ସେହିପରି ବଲାଙ୍ଗିରର ଜଣେ କରୋନା ପୀଡ଼ିତା ଯୁବତୀକୁ ଆୟୁର୍ବେଦିକ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗକୁ ସେ ପୁନର୍ବାର ଉତ୍ଥାପନ କରି ସେ କହିଲେ ଯେ ସରକାରଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁନାହିଁ । ଡିଜିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ବଲାଙ୍ଗିରର ଲୋକ ରାଜରାସ୍ତାକୁ ଆସିବେ, ଥାନା ପୋଡ଼ିବେ ବିଦ୍ରୋହ କରିବେ । ତାହା ପରେ ଯାଇ ସରକାରଙ୍କ ଜ୍ଞାନ ଉଦୟ ହେବ । ସରକାର ଯଦି ଚାହାନ୍ତି, ସେ ବିଦ୍ୟା ବି ଆମେ ଜାଣିଛୁ ବୋଲି ନରସିଂହ କହିଥିଲେ । ତେଣୁ ବାଚସ୍ପତି ଏହି ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।