ଦନ୍ତା ହାତୀ ନରସିଂହାର ଚନ୍ଦକାରେ ମୃତ୍ୟୁ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଅଭାବରୁ ମୃତ୍ୟୁ ହୋଇଥିବା କୁହାଯାଉଛି

ଭୁବନେଶ୍ବର,ଏନ୍ଏନ୍ଏସ୍: କିଛି ଦିନ ତଳେ ଯାଜପୁର ଅଞ୍ଚଳରେ ଆତଙ୍କ ଖେଳାଇ ୪ ଜଣ ଲୋକଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀ ନରସିଂହାର ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଅଭାବରୁ ଦନ୍ତା ହାତୀ ନରସିଂହାର ଆଜି ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ ମାସକ ତଳେ ଯାଜପୁରରେ ୪ ଜଣ ଲୋକଙ୍କୁ ପାଦରେ ଦଳି ମାରିଥିବା ଏହି ହାତୀକୁ କାବୁ କରି ଅନେକ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲକୁ ଅଣାଯାଇଥିଲା। ସେଠାରେ ତାକୁ ଚେନରେ ବାନ୍ଧି ରଖାଯାଇଥିଲା। ଗତ ମାସକ ଭିତରେ ନରସିଂହାକୁ ୪ ଥର ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ତେବେ ସେହି ସମୟରେ ତାର ଗୋଡ ଶିକୁଳିରେ ବନ୍ଧା ହୋଇଥିବା ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ବନବିଭାଗ ଓ ସାଧାରଣ ଲୋକମାନେ ମଧ୍ୟ ତାକୁ କାବୁ କରିବା ପାଇଁ ପ୍ରବଳ ଚେଷ୍ଟା କରିବା ସମୟରେ ତା ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ତେବେ କ୍ଷତ ଭଲ ନ ହେବା ଓ ସଂକ୍ରମଣ ବଢ଼ିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଏ ନେଇ ଚନ୍ଦକା ବନବିଭାଗ ଅଧିକାରୀଙ୍କୁ ପଚାରିବାରେ ନରସିଂହା ଚନ୍ଦକାରେ ବହୁତ ଉତ୍ପାତ କରୁଥିଲା ଓ ବନ ବିଭାଗ ତାକୁ ନିଜ କରାୟତ୍ତକୁ ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲା ବୋଲି କହିଛନ୍ତି। ଚନ୍ଦକାରେ ଥିବା ଆସାମର ଜଣେ ମାହୁନ୍ତ, ଜଣେ ଫରେଷ୍ଟ ରେଞ୍ଜର, ବନବିଭାଗର ବରିଷ୍ଟ ଅଧିକାରୀ ଓ ଓୟୁଏଟିର ଭେଟେନାରି ଡ଼ାକ୍ତର ତାକୁ ସୁସ୍ଥ କରାଇବାକୁ ବହୁତ ଉଦ୍ୟମ କରିଥିବା ସତ୍ତ୍ବେ ହାତୀଟିର ମୃତ୍ୟୁ ହୋଇଥିଲା ଅଧିକାରୀମାନେ ସୂଚନା ଦେଇଛନ୍ତି।