ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଠାରୁ ଓଡ଼ିଶାକୁ ମୌସୁମୀ ଛୁଇଁ ଥିବା ବେଳେ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଛି। ତେବେ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇଛି । ଏହା ମୌସୁମୀକୁ ସକ୍ରିୟ କରିଛି।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ସକ୍ରିୟ ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନ‌ା ଦିଆଯାଇଛି । ସେପଟେ ଆଜି ସକାଳୁ ସକାଳୁ ମେଘୁଆ ପାଗ ଦେଖିବାକୁ ମିଳିଥିଲା । ପରେ ବର୍ଷା ମଧ୍ୟ ହୋଇଥିଲା । ତେବେ ବର୍ଷା କାରଣରୁ ଖରାରୁ ସାମାନ୍ୟ ମୁକ୍ତ ମିଳିଛି । ଯେଉଁଭଳି ଭାବରେ ରାଜ୍ୟରେ ଖରା ସାଙ୍ଗକୁ ଗୁଳୁଗୁଳି ହେଉଥିଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ।

ଅନ୍ୟପକ୍ଷରେ ପୂର୍ବ -କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି । ଅର୍ଥାତ୍ ଲଘୁଚାପ କ୍ଷେତ୍ରଟି ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହା କ୍ରମେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।