ମୋ କଲେଜ ଅଭିଯାନ ଆରମ୍ଭ : ୱେବପୋର୍ଟାଲ୍ ଲୋକାର୍ପିତ, ୭୭୫ ଶିକ୍ଷାନୁଷ୍ଠାନ ସାମିଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୋ ସ୍କୁଲ୍ ଅଭିଯାନର ବ୍ୟାପକ ସଫଳତା ପରେ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୋ କଲେଜ ପୋର୍ଟାଲ ରବିବାର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ କଲେଜ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ କାର୍ଯ୍ୟ କରିବେ। ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ନିଜର ଯୋଗଦାନ କରିବେ। ମୋ କଲେଜ ଅଭିଯାନ ଓଡ଼ିଶା ସରକାରଙ୍କ ଏକ ସ୍ୱୟଂ ଶାସିତ ସଂସ୍ଥା। ଏହା ଅଧୀନର ରାଜ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ପଲିଟେକନିକ୍ ଓ ଇଞ୍ଜିନିୟରିଂ କଲେଜ, ବୃତ୍ତିଗତ, ବିଇଡି, ଆଇନ୍ ଏବଂ ମେଡିକାଲ କଲେଜଗୁଡ଼ିକ ସାମିଲ ହେବେ। ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ନିଜର ଅନୁଭୁତି ବାଣ୍ଟିବା ସହିତ ଶିକ୍ଷାନୁଷ୍ଠାନର ବିକାଶକୁ ନୂତନ ଦିଗଦର୍ଶନ ପ୍ରଦାନ କରିବେ।

‘ମୋ କଲେଜ’ ଅଭିଯାନ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନକୁ ଅବେଗ ସୁତ୍ରରେ ବାନ୍ଧି ରଖିବ। ଏହା ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ନିଜର କଲେଜ ସହ ଯୋଡ଼ି ହୋଇପାରିବେ। ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ। ଏହି ଅଭିଯାନ କେବଳ କଲେଜ ଆଲୁମିନି ମଧ୍ୟରେ ସୀମିତ ନୁହେଁ। ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ। ଯେକୌଣସି ବ୍ୟକ୍ତି ବିଶେଷ ଚାହିଁଲେ ରାଜ୍ୟର କୌଣସି ବି ଶିକ୍ଷାନୁଷ୍ଠାନ ବିକାଶର କର୍ଣ୍ଣଧାର ସାଜି ପାରିବେ। ମୋ କଲେଜ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ, କର୍ମଚାରୀ, ଡାକ୍ତର, ଜଣେ ସଫଳ ଚାଷୀ, ଓଦ୍ୟୋଗପତି ଆଦି ଭିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ନିଜର ଅନୁଭୂତି ଓ ଜ୍ଞାନକୁ କଲେଜ ବିକାଶ ପାଇଁ ବାଣ୍ଟି ପାରିବେ। ସେହିପରି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆସିଥିବା ଅର୍ଥର ଦୁଇଗୁଣା ଅର୍ଥ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଥିଲେ, ଶିକ୍ଷାନୁଷ୍ଠାନର ବିକାଶ ଲାଗି ଆଲୁମିନିଙ୍କୁ ଯୋଡ଼ିବାରେ ଏହା ମୁଖ୍ୟମନ୍ତ୍ରୀଙ୍କ ଅନନ୍ୟ ପ୍ରୟାସ। ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ସେମାନଙ୍କ ଅତୀତର ଶିକ୍ଷାନୁଷ୍ଠାନକୁ ଉନ୍ନତିର ଶିଖରରେ ପହଞ୍ଚାଇବ ବୋଲି ସେ କହିଥିଲେ। ତେବେ କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ଯୋଗାଇ ଦିଆଯିବ। ସେହିପରି ‘ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ ଶିକ୍ଷା ଆହରଣ ଲାଗି ଉପଯୁକ୍ତ ପରିବେଶ ଯୋଗାଇବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ ଯେ, ରାଜ୍ୟର ୧୫ଟି ବିଶ୍ୱବିଦ୍ୟାଳୟ, ୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ, ୧୬ଟି ବିଇଡି କଲେଜ, ୨୧ଟି ମେଡିକାଲ କଲେଜ, ୪୫ଟି ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ବିଭିନ୍ନ ସରକାରୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ମୋ କଲେଜ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ ମୋ କଲେଜ ଯୋଜନାରେ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟରେ ମୋ କଲେଜର ଅଭିମୁଖ୍ୟ ଓ ଆଗାମୀ ଦିନରେ ଏହାର ସଫଳ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।