ଟ୍ରେନରେ ଯାତ୍ରା କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ ନୂତନ ଭାବେ ଚାଲିଥିବା ଭୁବନେଶ୍ୱରରୁ ନୟାଗଡ ଟ୍ରେନ୍ ରେ ଏକୁଟିଆ ଯାତ୍ରା କରିଥିଲେ। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ସାହୁ ଏକୁଟିଆ ଷ୍ଟେସନ ଆସି କାଉଣ୍ଟରରେ ଛିଡା ହୋଇ ଟିକେଟ କରି ଭୁବନେଶ୍ୱରରୁ ତାଙ୍କ ନିର୍ବାଚନମଣ୍ଡଳୀ ନୟାଗଡ ଟ୍ରେନ୍ ରେ ଯାତ୍ରା କରିଥିଲେ। ନିଜ ଅଫିସିଆଲ ଗାଡିକୁ ଛାଡି ଟ୍ରେନ୍ ରେ ଯାତ୍ରା କରିବା ନିଶ୍ଚିନ୍ତ ଭାବେ ଏକ ଉଦାହରଣ ସୃଷ୍ଟି କରିଛି।

ନିକଟରେ ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦେଶନାମାରେ ତାଙ୍କ ମନ୍ତ୍ରୀମଣ୍ଡଳକୁ ନିର୍ଦ୍ଦେଶ ଦେଇଥିଲେ ଯେ କୌଣସି ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମଧ୍ୟାହ୍ନ ଭୋଜନ ସ୍କୁଲ କିମ୍ବା ଆହାର କେନ୍ଦ୍ରରେ କରିବା ସହ ଖାଦ୍ୟର ମାନ ଯାଞ୍ଚ କରିବେ। ନାଲିବତୀ ବ୍ୟବହାର କରିପାରିବେ ନାହିଁ। ମନ୍ତ୍ରୀ ଶ୍ରୀ ସାହୁଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ତାଙ୍କର ଏହି ଯାତ୍ରା ସମୟର ଫଟୋକୁ ଅନ୍ୟ ଯାତ୍ରୀ ଫଟୋ ଉଠାଇ ଭାଇରାଲ କରିବା ପରେ ଘଟଣାଟି ସାମନାକୁ ଆସିଥିଲା।