କଟକ,ଏନ୍ଏନ୍ଏସ୍: ବିଶିଷ୍ଟ ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରଲୋକ। କିଛିଦିନ ତଳେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ତାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।
କିଡନୀ ରୋଗରେ ପୀଡ଼ିତ ଥିବା ଭେଟେରାନ ଅଭିନେତା ମିହିର ଦାସ ମାସେ ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ମିହିର ପୂର୍ବରୁ ହୃଦଘାତର ଶିକାର ହୋଇ ସୁସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ମିହିର ଦାସ ୧୯୫୯ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ରେ ‘ରାମାୟଣ’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ମିହିର ବହୁବାର ଶ୍ରେଷ୍ଠ ଅଭିନେତାର ଆୱାର୍ଡ ହାସଲ କରିଥିଲେ। ନିଜର ଅଭିନୟ କ୍ୟାରିୟରରେ ସେ ଦର୍ଶକଙ୍କୁ କେତେବେଳେ ହସାଇଥିଲେ ତ ପୁଣି କନ୍ଦାଇଥିଲେ। କିନ୍ତୁ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ସର୍ବଦା ଘର କରିଥିଲେ। ମିହିରଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ପୁଅ ମୋର ଭଳା ଶଙ୍କର, ରାକ୍ଷି ବାନ୍ଧିଲେ ମୋ ରଖିବ ମାନ, ଫେରିଆ ମୋ ସୁନା ଭଉଣୀ, ବିଧାତା, ଲକ୍ଷ୍ମୀ ପ୍ରତିମା ଓ ତୁ ମୋ ଲଭ ଷ୍ଟୋରୀ ଭଳି ଅନେକ ସୁପରହିଟ ଫିଲ୍ମ ତାଙ୍କ ନାଁରେ ରହିଛି।୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ‘ଲାଇଫ ଟାଇମ ଆଚିଭମେଣ୍ଟ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।